Categories: ଜାତୀୟ

ଭାରତକୁ ଆସିଛି ୧୫୦ କିଗ୍ରା ହେରୋଇନ୍‌: ତାଲିବାନ୍‌ ସଂଗଠନର ହାତ ସନ୍ଦେହ

ନୂଆଦିଲ୍ଲୀ,୨୦।୭: ଭାରତକୁ ଆଫଗାନିସ୍ତାନ ତଥା ପାକିସ୍ତାନରୁ ଆସିଥିବା ୧୫୦ କିଲୋଗ୍ରାମ୍‌ ହେରୋଇନ୍‌କୁ ଇତିମଧ୍ୟରେ ପୋଲିସ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ହଜାର କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଗତ ୧୨୦ ଦିନ ଧରି ପୋଲିସ ପକ୍ଷରୁ ଖୋଳତାଡ଼ ପରେ ଏହି ସଫଳତା ମିଳିଛି। ଏନେଇ ୫ଜଣଙ୍କୁ ଗିରଫ କରାଯାଇ ପଚରା ଉଚରା ଜାରି ରହିଛି। ହେରୋଇନ୍‌ ଚୋରା କାରବାର ପଛରେ ତାଲିବାନ୍‌ ଆତଙ୍କବାଦୀ ସଂଗଠନର ହାତ ଥିବା କୁହାଯାଉଛି। ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ମସଲା ବସ୍ତାରେ ଏହା ଆସୁଥିଲା। ପ୍ରଥମେ ମସଲା ବସ୍ତାକୁ ହେରୋଇନ୍‌ ମିଶା ତରଳ ପଦାର୍ଥରେ ବୁଡ଼ାଇ ରଖାଯାଉଥିଲା। ବସ୍ତା ଶୁଖିଗଲା ପରେ ସେଥିରେ ସୁଗନ୍ଧିତ ମସଲା ଭର୍ତ୍ତି କରାଯାଉଥିଲା। ଭାରତରେ ମସଲା ବସ୍ତା ପହଞ୍ଚିବା ପରେ ଖାଲି ବସ୍ତାଗୁଡ଼ିକୁ ଜାମିଆ ନଗରସ୍ଥିତ ଏକ ସ୍ଥାନରେ ବିଶେଷ ଭାବେ ଧୁଆ ହେଉଥିଲା। ସେଥିରୁ ହେରୋଇନ୍‌ ସଂଗ୍ରହ କରାଯାଉଥିଲା। ସଂଗୃହୀତ ଅର୍ଥକୁ ଟେରର୍‌ ଫଣ୍ଡିରେ ବ୍ୟବହାର କରାଯାଉଥିବା କୁହାଯାଉଛି। ଦିଲ୍ଲୀ ପୋଲିସ୍‌ ଏହି ର଼୍ୟାକେଟ୍‌ର ପର୍ଦ୍ଦାଫାଶ୍‌ କରି ତଦନ୍ତ ଜାରି ରଖିଛି।

Share