Categories: ଜାତୀୟ

ଭାରତକୁ ଓଆଇସିର ପରାମର୍ଶ:୩୭୦ ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର କର

ନୂଆଦିଲ୍ଲୀ,୨୭।୯:ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନ ଶେଷରେ ଇସ୍‌ଲାମିକ୍‌ ସହଯୋଗ ସଂଗଠନ (ଓଆଇସି)ର ସମର୍ଥନ ହାସଲ କରିବାରେ ସଫଳ ହୋଇଛି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଉକ୍ତ ସଂଗଠନ ଭାରତକୁ ପରାମର୍ଶ ଦେଇଛି। ଓଆଇସି କଶ୍ମୀର ଯୋଗାଯୋଗ ଗୋଷ୍ଠୀ ତରଫରୁ ପାକିସ୍ତାନ, ଆଜରବୈଜାନ, ତୁର୍କୀ, ନାଇଜର ସହ ମିଶି ସୌଦି ଆରବ ଏହି ବିବୃତି ଜାରି କରିଛି। ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ବୁଧବାର ଜାରି ବିବୃତିରେ ଏକତରଫା ଓ ବେଆଇନ କାର୍ଯ୍ୟରୁ ଓହରିଯାଇ ଜାତିସଂଘ ସୁରକ୍ଷା ପରିଷଦର ସଙ୍କଳ୍ପନାମାକୁ ଅନୁପାଳନ ଲାଗି ଦେଇଥିବା ପ୍ରତିଶ୍ରୁତିକୁ ଭାରତ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି।
ଅବଶ୍ୟ ଓଆଇସି ପକ୍ଷରୁ ଭାରତ ବିରୋଧରେ ବିବୃତି ଜାରି କରିବା ଏହା ନୂଆ ନୁହେଁ। ପୂର୍ବରୁ ଅନେକ ଥର ଏହି ସଂଗଠନ କଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ ଦେଇଛି। ୫୭ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିତ୍ୱ କରୁଥିବା ଏହି ସଂଗଠନର ବିବୃତି ଉପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ। କଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିବାରୁ ଏଭଳି କୌଣସି ବିବୃତିକୁ ଭାରତ ଅଗ୍ରାହ୍ୟ କରିଆସିଛି। କଶ୍ମୀର ନେଇ ଭାରତର ନିଷ୍ପତ୍ତିକୁ ଜମାତ୍‌-ଉଲେମା-ଇ-ହିନ୍ଦ୍‌ ସମେତ ଅନେକ ମୁସ୍‌ଲିମ୍‌ ସଂଗଠନ ସମର୍ଥନ କରୁଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବୁଧବାର କହିଥିଲେ।

Share