ଭାରତକୁ ଚାଇନାର ସମାଲୋଚନା

ନୂଆଦିଲ୍ଲୀ,୨୧।୪: ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍‌ଡିଆଇ) କ୍ଷେତ୍ରରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଉପରେ ଭାରତ ଅଙ୍କୁଶ ଲଗାଇବାର ୨ ଦିନ ପରେ ଏହାକୁ ନେଇ ସୋମବାର ଚାଇନା ପ୍ରତିକ୍ରୟା ପ୍ରକାଶ କରିଛି। ଚାଇନା ସମେତ ଅନ୍ୟ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପ୍ରତ୍ୟକ୍ଷ ରୁଟ୍‌ରେ ବା ସିଧାସଳଖ ଭାବେ ଭାରତ ବଜାରରେ ଏଫ୍‌ଡିଆଇ ଖଟାଇପାରିବେ ନାହିଁ ବୋଲି ଭାରତ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ବ୍ୟକ୍ତିବିଶେଷ କିମ୍ବା କମ୍ପାନୀ ଏହାକୁ ମାନିବାକୁ ବାଧ୍ୟ ବୋଲି ନିର୍ଦ୍ଦେଶରେ କୁହାଯାଇଥିଲା। ଏହି ଆଇନ ଉପରେ ଚାଇନା ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଭାରତ ପକ୍ଷପାତିତା ନୀତି ଅବଲମ୍ବନ କରିଛି। ନୂଆ ନିୟମ ଦ୍ୱାରା ଭାରତରେ ନିବେଶ କରିବା କଷ୍ଟକର ହୋଇପଡ଼ିବ। ଭାରତ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟଟିଓ)ର ମୁକ୍ତ ବାଣିଜ୍ୟ ଚୁକ୍ତିକୁ ଭାରତ ଅବମାନନା କରିବା ସହ ଏଭଳି ପକ୍ଷପତିତା ନୀତି ଅବଲମ୍ବନ କରିଛି। ଏହା ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରରେ ଉଦାରୀକରଣ ନୀତିର ବିରୋଧାଭାସ କରୁଛି। ଏହାବାଦ ବାଣିଜ୍ୟ ପ୍ରୋତ୍ସାହନ ଲାଗି ଜି-୨୦ ଦେଶଗୁଡ଼ିକର ଗ୍ରହଣ କରିଥିବା ସାମଗ୍ରିକ ପଦକ୍ଷେପ ବିରୋଧରେ ଯାଇ ଭାରତ ଏଭଳି କରିଛି ବୋଲି ଦୂତାବାସ ପକ୍ଷରୁ ମୁଖପାତ୍ର ସି.ଜି. ରଙ୍ଗ୍‌ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ,୨୦୧୯ ଡିସେମ୍ବର ସୁଦ୍ଧା ଚାଇନା କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଭାରତରେ ୮ ବିଲିୟନ ଡଲାର ନିବେଶ କରାଯାଇଛି। ଭାରତର ଅନ୍ୟ ପଡ଼ୋଶୀ ରାଷ୍ଟ୍ରଠାରୁ ଏହା ବହୁ ଗୁଣରେ ଅଧିକ। ଚାଇନା ନିବେଶ ଦ୍ୱାରା ଭାରତର ଶିଳ୍ପାୟନକୁ ପ୍ରୋତ୍ସାହିତ କରୁଛି। ମୋବାଇଲ ଫୋନ, ହାଉସହୋଲ୍ଡ ଇଲେକ୍ଟ୍ରିକାଲ ସାମଗ୍ରୀ ଭିତ୍ତିଭୂମି, ଅଟୋ ମୋବାଇଲ ଭଳି କ୍ଷେତ୍ରରେ ନିବେଶ ଯୋଗୁ ଅନେକ ଲୋକ ନିଯୁକ୍ତି ପାଇପାରୁଛନ୍ତି। ଏହା ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟ ଦୃଢ ହେଉଛି ବୋଲି ମୁଖପାତ୍ର ରଙ୍ଗ୍‌ କହିଛନ୍ତି। ନୂଆ ନିୟମ ଆସିବା ଦ୍ୱାରା ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପ୍ରଭାବିତ ହେବା ଆଶଙ୍କା କରୁଛନ୍ତି। ବିଶ୍ୱର ଅନ୍ୟ ଦେଶଗୁଡିକ ଲାଗି ଗୋଟିଏ ନିୟମ ଏବଂ ପଡ଼ୋଶୀଙ୍କ ଲାଗି ଅନ୍ୟ ଏକ ନିୟମ ଭାରତ କାହିଁକି ଆଣିଛି। ଏହାଦ୍ୱାରା କିଛି ଦେଶକୁ ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା ବେଳେ ଅନ୍ୟ କିଛି ଦେଶଙ୍କୁ ସମାନ ସୁବିଧାରୁ ବଞ୍ଚିତ କରାଯାଇଛି ବୋଲି ଚାଇନା ଦୂତାବାସ ପକ୍ଷରୁ କୁହାଯାଇଛି।

Share