Categories: ବାଣିଜ୍ୟ

ଭାରତକୁ ଟ୍ରେଡ୍‌ ଓ୍ବାର୍‌ ଲାଭ;ରପ୍ତାନି ବୃଦ୍ଧିରେ ବିଶ୍ୱରେ ଏକମାତ୍ର ଦେଶ

ନୂଆଦିଲ୍ଲୀ,୨-୮: ଆମେରିକା ଓ ଚାଇନା ମଧ୍ୟରେ ଟ୍ରେଡ୍‌ ଓ୍ବାର୍‌ ଆରମ୍ଭ ହୋଇଥିବା ବେଳେ ଏସିଆରେ ଭାରତ ଏକମାତ୍ର ଦେଶ ଯିଏକି ଅଧିକ ରପ୍ତାନି କରିବାରେ ସଫଳ ହୋଇଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୭ର ଚତୁର୍ଥ ତ୍ରୈମାସରେ ବିଶ୍ୱ ରପ୍ତାନିରେ ଭାରତର ଅଂଶ ୧.୫୮% ରହିଥିଲା। ତେବେ ୨୦୧୯ ଆର୍ଥିକ ବର୍ଷରେ ଏହା ୧.୭୧%କୁ ବୃଦ୍ଧି ପାଇଛି। ଏହି ଅବଧିରେ ଏସିଆର ଅନ୍ୟ ଦେଶଗୁଡ଼ିକର ରପ୍ତାନି ଅଂଶ ହ୍ରାସ ପାଇଛି। ନିକଟରେ ଏକ ସାକ୍ଷାତକାର ଦେଇ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଭାରତୀୟ ଅର୍ଥନୀତି ବିଶ୍ୱ ବିିନିର୍ମାଣ ଯୋଗାଣ ଶୃଙ୍ଖଳାରେ ପଡୋଶୀଙ୍କ ଭଳି ସମ୍ପୂର୍ଣ୍ଣ ଭାବେ ଜଡ଼ିତ ନ ଥିବାରୁ ଭାରତର ରପ୍ତାନି ବୃଦ୍ଧି ପାଉଛି। ଟ୍ରେଡ ଓ୍ବାର୍‌ ସ୍ଥିତିରେ ମଧ୍ୟ ଭାରତକୁ ଫାଇଦା ମିଳୁଛି। ଦକ୍ଷିଣ କୋରିଆ ଓ ଜାପାନର ମାଲ୍‌କୁ ଚାଇନା ସର୍ବାଧିକ କିଣିଥାଏ। ତେବେ ସେମାନଙ୍କର ବିଶ୍ୱରେ ରପ୍ତାନି ଅଂଶ ଅଧିକ ହ୍ରାସ ପାଇଛି। ଭାରତ ଲାଗି ଆମେରିକା ତଥା ଚାଇନା ଏବଂ ସଂଯୁକ୍ତ ଆରବ ଏମିରାଟ ତୃତୀୟ ସବୁଠୁ ବଡ଼ ବଜାର। ଦିଲ୍ଲୀସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫରେନ୍‌ ଟ୍ରେଡ ପ୍ରଫେସର ରାକେଶ ମୋହନ ଯୋଶୀଙ୍କ କହିବାନୁଯାୟୀ, ଭାରତର ମାଲ୍‌ ଓ ମାର୍କେଟ ବାସ୍କେଟ ସମ୍ପୂର୍ଣ୍ଣ ଭାବେ ବିଭିଧତାଭରା ହୋଇଥିବାରୁ ରପ୍ତାନି କ୍ଷେତ୍ରରେ ଦେଶକୁ ଫାଇଦା ମିଳୁଛି। ଫେଡେରେଶନ ଅଫ୍‌ ଏକ୍ସପୋର୍ଟ ଅଗାନାଇଜେଶନ ଏମଡି ତଥା ସିଇଓ ଅଜୟ ଶାହଙ୍କ ମତରେ ଆମେରିକା ଓ ଚାଇନା ମଧ୍ୟରେ ଟ୍ରେଡ ଓ୍ବାର ଆରମ୍ଭ ହେବା ଦ୍ୱାରା ଦୁଇ ଦେଶକୁ ଭାରତର ରପ୍ତାନି ବୃଦ୍ଧି ପାଇଁ ସୁଯୋଗ ଦେଇଛି। ବିଗତ ୬ ବର୍ଷ ମଧ୍ୟରେ ଆମେରିକାକୁ ଭାରତରୁ ରପ୍ତାନି ମାର୍ଚ୍ଚ ୨୦୧୮ରେ ଶେଷ ହୋଇଥିବା ବର୍ଷରେ ସର୍ବାଧିକ ହୋଇଛି। ସେହିପରି ଗତ ଆର୍ଥିକ ବର୍ଷରେ ଚାଇନାକୁ ଭାରତର ରପ୍ତାନି ୩୧% ବୃଦ୍ଧି ପାଇଛି।

Share