ଭାରତକୁ ତେଲ, ଏଲ୍‌ପିଜି ଯୋଗାଣ ଜାରି ରଖିବ ୟୁଏଇ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୧୮।୬: ସଂଯୁକ୍ତ ଆରବ ଏମିରେଟ(ୟୁଏଇ) ହର୍ମୁଜ ଜଳ ସନ୍ଧି କ୍ଷେତ୍ରରେ ଦେଖାଦେଇଥିବା ବାଧା ସତ୍ତ୍ୱେ ଭାରତକୁ ଅଶୋଧିତ ତେଲ ଏବଂ ଏଲ୍‌ପିଜି ଯୋଗାଣ ଅବ୍ୟାହତ ରଖିବ ବୋଲି ପ୍ରତିଶ୍ରୁତି ଦେଇଛି। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଟୁଇଟ୍‌ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତ ସପ୍ତାହରେ ଦୁଇଟି ତେଲ ଟ୍ୟାଙ୍କର ଉପରେ ଆକ୍ରମଣ ହେବା ପରେ ଗଲ୍ଫ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ସେ ୟୁଏଇ ମନ୍ତ୍ରୀ ତଥା ଆବୁଧାବୀ ନ୍ୟାଶନାଲ ଅଏଲ କମ୍ପାନୀ(ଏଡିଏନ୍‌ଓସି) ଗ୍ରୁପ୍‌ ସିଇଓ ସୁଲ୍‌ତାନ ଅହମ୍ମଦ ଅଲ୍‌ ଜାବେରଙ୍କ ସହ ସୋମବାର ଟେଲିଫୋନ ଯୋଗେ ଆଲୋଚନା କରିଥିବା ପ୍ରଧାନ ଲେଖିଛନ୍ତି। ହର୍ମୁଜ ଜଳ ସନ୍ଧିରେ ଉପୁଜିଥିବା ବାଧାର କାରଣ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ଏଥିଯୋଗୁ ତେଲ ଓ ଏଲ୍‌ପିଜି ଯୋଗାଣରେ ବାଧା ଆସିବା ସମ୍ଭାବନାକୁ ନେଇ ଭାରତ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଥିଲା। ତେବେ ସମସ୍ତ ବାଧା ସତ୍ତ୍ୱେ ଭାରତକୁ ତେଲ ଓ ଏଲ୍‌ପିଜି ଯୋଗାଣ ଲାଗି ୟୁଏଇ ପ୍ରତିଶ୍ରୁତିବଦ୍ଧ ବୋଲି ଜାବେର ଦୋହରାଇଥିବା ପ୍ରଧାନ କହିଛନ୍ତି।

Share