ଭାରତକୁ ସଫଳତା: ଉହାନରେ କରୋନା ସଂକ୍ରମଣ କରିଥିବା ଭୂତାଣୁର ମିଳିଲା ସନ୍ଧାନ

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁରାଷ୍ଟ୍ରର ବୈଜ୍ଞାନିକ ନାନା ପ୍ରକାର ଗବେଷଣା ଜାରି ରଖିଛନ୍ତି। ଏପରିସ୍ଥଳେ ଭାରତୀୟ ବୈଜ୍ଞାନିକଙ୍କୁ ସଫଳତା ମିଳିଛି। ୩୬୦୦ ଭୂତାଣୁ ଉପରେ ପରୀକ୍ଷା ନିରୀକ୍ଷା କରି ସେମାନେ ୧୧ଟି କରୋନା ଭୂତାଣୁକୁ ଚିହ୍ନଟ କରିଛନ୍ତି। ସେଥିମଧ୍ୟରୁ ଏ-୨-ଏ ଭୂତାଣୁ ଚାଇନାର ଉହାନରେ ତାଣ୍ଡବ ରଚିଥିବା କୁହାଯାଉଛି। ଏସବୁ କରୋନା ଭୂତାଣୁର ସଂରଚନା ଭିନ୍ନ ଭିନ୍ନ। ମନୁଷ୍ୟ ଶରୀରରେ ଆର୍‌ଏନ୍‌ଏ ସଂରଚନା ଆଧାରରେ ଏସବୁ ଭୂତାଣୁ କମ୍‌ ସମୟ ମଧ୍ୟରେ ସଂକ୍ରମଣ ଆରମ୍ଭ କରିଥାନ୍ତି। ପ୍ରଥମେ ଗଳା, ପରେ ଫୁସଫୁସ୍‌କୁ ସଂକ୍ରମିତ ହୋଇଥାଏ। ଏହାପରେ ଲିଭର ଏବଂ କିଡ୍‌ନୀରେ ସଂକ୍ରମଣ ହୋଇଥାଏ ବୋଲି ପଶ୍ଚିମବଙ୍ଗର ନ୍ୟାଶନାଲ୍‌ ଇନଷ୍ଟୁଚ୍ୟୁଟ୍‌ ଅଫ୍‌ ବାୟୋମେଡ଼ିକାଲ ଜିନୋମିକ୍ସ୍‌ର ଗବେଷକ ସୂଚନା ଦେଇଛନ୍ତି। ୨୦୧୯ ଡିସେମ୍ବର ଠାରୁ ୨୦୨୦ ଏପ୍ରିଲ୍‌ ୬ ପର୍ଯ୍ୟନ୍ତ ଏହି ଗବେଷଣା ଜାରି ରହିଥିଲା। ଉହାନରେ ସଂକ୍ରମଣ କରିଥିବା ଏ-୨-ଏ କରୋନା ଭୂତାଣୁ ଭାରତର ୪୫ ପ୍ରତିଶତ ସଂକ୍ରମିତଙ୍କଠାରେ ରହିଛି। ଏହି ଭୂତାଣୁ ଅତି ମାରାତ୍ମକ। ପୃଥିବୀର କେତେକ ଦେଶରେ ଏହାର ୮୦ ପ୍ରତିଶତ ଲୋକଙ୍କୁ ସଂକ୍ରମିତ ହୋଇଛି। ଏଥିରେ ଥିବା ଆମିନୋ ଏସିଡ୍‌ ପରବର୍ତ୍ତୀ ସମୟରେ ଏସ୍ପାର୍ଟିକ୍‌ ଏସିଡ୍‌ରୁ ଗ୍ଲାଇସିନ୍‌କୁ ପରିବର୍ତ୍ତିତ ହୋଇଥାଏ। ଅପରପକ୍ଷରେ କରୋନା ଭୂତାଣୁର ଅନ୍ୟ ପ୍ରକାରରେ ଏସ୍ପାର୍ଟିକ୍‌ ଏସିଡ୍‌ ରହିଥାଏ। ଏହାର କୌଣସି ପରିବର୍ତ୍ତନ ଘଟି ନ ଥାଏ।

Share