ଭାରତକୁ ସଶସ୍ତ୍ର ଡ୍ରୋନ ବିକିବ ଆମେରିକା

ଓ୍ବାଶିଂଟନ,୯ା୬(ପି.ଟି.): ଭାରତକୁ ଆମେରିକା ସଶସ୍ତ୍ର ଡ୍ରୋନ ବିକ୍ରି କରିବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଡ୍ରୋନ ବିକ୍ରି ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିସହିତ ଭାରତର ସାମରିକ ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବା ଲାଗି ସମନ୍ବିତ ମିସାଇଲ ଡିଫେନ୍ସ ସିଷ୍ଟମ ଯୋଗାଇଦେବାକୁ ଆମେରିକା ପ୍ରସ୍ତାବ ଦେଇଛି।
ଗତ ଫେବୃୟାରୀରେ ପୁଲଓ୍ବାମା ଆକ୍ରମଣରେ ୪୦ ଭାରତୀୟ ଯବାନ ଶହୀଦ ହେବା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ସାମରିକୀକରଣ ବୃଦ୍ଧି ପାଉଥିବାରୁ ଭାରତକୁ ପ୍ରତିରକ୍ଷା ସହୟତା ଯୋଗାଇଦେବା ଲାଗି ଆମେରିକା ଆଗ୍ରହ ପ୍ରକାଶ କରିଛି। ଭାରତକୁ ସର୍ବଶ୍ରେଷ୍ଠ ପ୍ରତିରକ୍ଷା ପ୍ରଯୁକ୍ତି ଯୋଗାଇ ଦେବାକୁ ଟ୍ରମ୍ପ ପ୍ରଶାସନ ପ୍ରସ୍ତୁତ ବୋଲି ହ୍ବାଇଟ୍‌ ହାଉସ୍‌ର ଜଣେ ଅଧିକାରୀ କହିଛନ୍ତି। ତେବେ ଏହି ସଶସ୍ତ୍ର ଡ୍ରୋନ୍‌ କେବେ ଭାରତକୁ ମିଳିବ ତାହା ସେ କହିନାହାନ୍ତି। ୨୦୧୭ ଜୁନ୍‌ରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକରେ ଭାରତକୁ ଗାର୍ଡିଆନ ଡ୍ରୋନ୍‌ର ସର୍ଭିଲାନ୍ସ ଭର୍ସନ ଯୋଗାଇ ଦେବାକୁ ଆମେରିକା ରାଜି ହୋଇଥିଲା।

Share