ଭାରତକୁ ୧୭ରୁ ଅଧିକ ଦେଶରୁ ଆସିଛି କରୋନା ଭୂତାଣୁ: ସଂରଚନା ବି ଭିନ୍ନ ଭିନ୍ନ

ନୂଆଦିଲ୍ଲୀ,୨୭।୪: ଭାରତରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ଦେଶକୁ ୧୭ରୁ ଅଧିକ ଭିନ୍ନ ଭିନ୍ନ ଦେଶରୁ କରୋନା ଭୂତାଣୁ ଆସିଥିବା କୁହାଯାଉଛି। ଏସବୁ ମଧ୍ୟରେ ୫ଟିର ଆନୁବଂଶିକ ପରିବର୍ତ୍ତନ(ମ୍ୟୁଟେଶନ) ରହିଥିବା ମଧ୍ୟ ଜଣାପଡ଼ିଛି। ଗୋଟିଏ ଭୂତାଣୁର ଭିନ୍ନ ଭିନ୍ନ ସଂରଚନା ଯୋଗୁ ଏକ ପ୍ରକାର ଚିକିତ୍ସା ସମସ୍ତ ସଂକ୍ରମିତଙ୍କ ପାଇଁ ସମ୍ଭବ ହୋଇ ପାରୁ ନାହିଁ ବୋଲି ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭିରୋଲୋଜି(ଏନ୍‌ଆଇଭି) ପକ୍ଷରୁ କୁହାଯାଇଛି। ଚାଇନାରେ ହୋଇଥିବା ପରୀକ୍ଷାରେ କରୋନା ଭୂତାଣୁର ୪୩୦୦ଟି ଆନୁବଂଶିକ ପରିବର୍ତ୍ତନ ଉପରେ ଅଧ୍ୟୟନ କରାଯାଇଥିଲା। ଭାରତର ଆଗ୍ରା ଏବଂ ଜୟପୁରରେ ସଂକ୍ରମିତଙ୍କଠାରେ ନେଦରଲାଣ୍ଡରେ ଦେଖାଯାଉଥିବା କରୋନା ଭୂତାଣୁ ଦେଖିବାକୁ ମିଳିଛି। ସେହିପରି କୁଏତ୍‌ରେ ଦେଖାଦେଇଥିବା କରୋନା ଭୂତାଣୁ ମଧ୍ୟ ଭାରତରେ ଦେଖିବାକୁ ମିଳିଛି। କେରଳରେ ଦେଖାଦେଇଥିବା ଭୂତାଣୁର ଚାଇନାର ଉହାନଠାରେ ଦେଖାଦେଇଥିବା ଭୂତାଣୁ ସହିତ ସାମ୍ୟତା ରହିଛି। ସେହିପରି ଜୟପୁର ଏବଂ ଦିଲ୍ଲୀରେ ଇଟାଲୀରେ ଦେଖାଦେଇଥିବା କରୋନା ଭୂତାଣୁ ମିଳିଛି। ବିଭିନ୍ନ ଦେଶରୁ ଆସିଥିବା ସଂକ୍ରମିତଙ୍କଠାରେ ଅଲଗା ଅଲଗା କରୋନା ଭୂତାଣୁ ଥିବାରୁ ଏହାର ଚିକିତ୍ସା କରିବାରେ ସମସ୍ୟା ଦେଖାଦେଉଥିବା କୁହାଯାଉଛି। ଜଣଙ୍କ ପାଇଁ ଉପଯୋଗୀ ଔଷଧ ବେଳେବେଳେ ଅନ୍ୟଙ୍କ କ୍ଷେତ୍ରରେ ବ୍ୟବହୃତ କରିବା ସମ୍ଭବ ହୋଇ ପାରୁନାହିଁ ବୋଲି ଏନ୍‌ଆଇଭି ପକ୍ଷରୁ କୁହାଯାଇଛି।

Share