Categories: ଖେଳ

ଭାରତକୁ ୨୦୨୧ ଜୁନିୟର ହକି ବିଶ୍ୱକପ୍‌ ଆୟୋଜନ ଅଧିକାର

ଲାଉସାନେ, ୧୭।୨ (ପି.ଟି.)- ଆସନ୍ତା ବର୍ଷ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ଭାରତରେ ଆୟୋଜିତ ହେବ। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପକ୍ଷରୁ ସୋମବାର ଏହା ଘୋଷଣା କରାଯାଇଛି। ଫଳରେ ଭାରତ ୨ୟଥର ଲାଗି ବିଶ୍ୱର ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ କରିବାର ଅଧିକାର ଲାଭ କରିଛି। ଏଥିପୂର୍ବରୁ ୨୦୧୬ରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜୁନିୟର ପୁରୁଷ ବିଶ୍ୱକପ୍‌ ଆୟୋଜିତ ହୋଇଥିଲା। ଏଥିରେ ଫାଇନାଲରେ ବେଲ୍‌ଜିୟମକୁ ୧-୨ ଗୋଲରେ ହରାଇ ଭାରତ ୨ୟଥର ଲାଗି ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଥିଲା। ‘୨୦୨୧ ମସିହା ଶେଷ ଆଡ଼କୁ ଏହି ବିଶ୍ୱକପ୍‌ ଭାରତରେ ଖେଳାଯିବ। କିନ୍ତୁ ଟୁର୍ନାମେଣ୍ଟର ନିର୍ଦ୍ଧାରିତ ତାରିଖ ଓ ଭେନ୍ୟୁ ପରେ ଘୋଷଣା କରାଯିବ’ ବୋଲି ଏଫ୍‌ଆଇଏଚ୍‌ ପକ୍ଷରୁ କୁହାଯାଉଛି।
ବିଶ୍ୱକପ୍‌ର ଏହି ସଂସ୍କରଣରେ ୧୬ ଟିମ୍‌ ଟାଇଟଲ୍‌ ପାଇଁ ଲଢ଼େଇ କରିବେ। ଯେଉଁଥିରେ ୟୁରୋପର ୬, ଆୟୋଜକ ଭାରତକୁ ମିଶାଇ ଏସିଆର ୪, ଆଫ୍ରିକା, ଓସେନିଆ ଓ ପାନ୍‌ ଆମେରିକାରୁ ୨ଟି ଲେଖାଏ ଟିମ୍‌ ଅଂଶଗ୍ରହଣ କରିବେ। ୟୁରୋପରୁ ଜର୍ମାନୀ, ଇଂଲଣ୍ଡ, ନେଦରଲାଣ୍ଡ୍ସ, ସ୍ପେନ, ବେଲ୍‌ଜିୟମ ଓ ଫ୍ରାନ୍ସ ବିଶ୍ୱକପ୍‌ ଲାଗି ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ସ୍ମରଣଯୋଗ୍ୟ, ପୂର୍ବରୁ ୨୦୧୮ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ସିନିୟର ପୁରୁଷ ହକି ବିଶ୍ୱକପ୍‌ ଆୟୋଜିତ ହୋଇଥିଲା।

Share