ନୂଆଦିଲ୍ଲୀ,୯।୮: ଭାରତଛାଡ଼ ଆନ୍ଦୋଳନ ତଥା ଅଗଷ୍ଟ କ୍ରାନ୍ତି ଦିବସର ୭୭ତମ ବାର୍ଷିକୀ ଗୁରୁବାର ପାଳିତ ହୋଇଛି। ଭାରତର ସ୍ବାଧୀନତା ଆନ୍ଦୋଳନରେ ଏହା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା। ୧୯୪୨ ଅଗଷ୍ଟ ୮ରେ ମୁମ୍ବାଇରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସ ବୈଠକରେ ମହାତ୍ମା ଗାନ୍ଧୀ ବ୍ରିଟିଶ୍ ସରକାରଙ୍କୁ ଭାରତ ଛାଡିଚାଲିଯିବା ପାଇଁ ଆହ୍ବାନ ଦେଇଥିଲେ। ସ୍ବାଧୀନତା ଆନ୍ଦୋଳନରେ ଆତ୍ମ ବଳିଦାନ ଦେଇଥିବା ଶହୀଦଙ୍କ ସ୍ମୃତିଚାରଣ ସହିତ ସ୍ବାଧୀନତା ସଂଗ୍ରାମୀଙ୍କୁ କୃତଜ୍ଞ ରାଷ୍ଟ୍ର ଏହି ଦିନରେ ଶ୍ରଦ୍ଧାଞ୍ଜଳି ଜଣାଇଛି। ଗଠନମୂଳକ ମନୋଭବ ନେଇ ରାଷ୍ଟ୍ର ନିର୍ମାଣରେ ସାମିଲ ହେବାକୁ ଉପରାଷ୍ଟ୍ରପତି ଏମ୍. ଭେଙ୍କାୟା ନାଇଡୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ତାଙ୍କ ବାସଭବନରେ ଅନୁଷ୍ଠିତ ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।