ଭାରତବନ୍ଦ ଆନ୍ଦୋଳନକାରୀଙ୍କ ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ୍‌

କେନ୍ଦୁଝର,୨୯।୧(ସ୍ବ.ପ୍ର.): ଏନ୍‌ଆରସି ଓ ସିଏଏ ବିରୋଧରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ କେନ୍ଦୁଝର ଜିଲାରେ ସେଭଳି ପ୍ରଭାବ ଦେଖିବାକୁ ମିଳିନାହିଁ। କେନ୍ଦୁଝର ସହର ଗାନ୍ଧିଛକରେ ମୋର୍ଚ୍ଚାର ସଦସ୍ୟ ଓ ନେତାମାନେ ଏନ୍‌ଏଚ୍‌ ନଂ.୪୯କୁ ଅବରୋଧ କରିଥିଲେ। କିନ୍ତୁ ଏନ୍‌ଆରସି ସମର୍ଥକମାନେ ପହଞ୍ଚି ସେମାନଙ୍କୁ ଘଉଡାଇ ଦେବାରୁ ଏହା ଭଣ୍ଡୁର ହୋଇଥିଲା। ଏହାକୁ ନେଇ କିଛି ସମୟ ଧସ୍ତାଧସ୍ତି ହୋଇଥିଲା। ପୋଲିସ ପହଞ୍ଚି ପରିସ୍ଥିତିକୁ ନିନ୍ତ୍ରଣାଧୀନ କରିଥିଲା। ପୂର୍ବପରି ଏନ୍‌ଏଚ୍‌ ଓ ଅନ୍ୟାନ୍ୟ ରାସ୍ତାରେ ଗାଡି ଚଳାଚଳ କରିଥିଲା। ଏହି ଘଟଣାକୁ ନେଇ ଆନ୍ଦୋଳନକାରୀଙ୍କ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ କରାଯାଇଛି। ଦୋକାନ ବଜାର, ସ୍କୁଲ କଲେଜ, ଅଫିସ ଆଦି ଖୋଲା ରହିଥିଲା। ଏହି ଘଟଣାରେ ପୋଲିସ କେତେକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିବା ଜଣାପଡିଛି। ବେଆଇନ ଭାବରେ ରାସ୍ତା ଅବରୋଧ କରିବା, ଅସଦାଚରଣ କରିବା ସହ କେତେକ ଦେଶ ବିରୋଧୀ ନାରା ଦେବା, ପାକିସ୍ତାନ ଜିନ୍ଦାବାଦ୍‌ ଭଳି ସ୍ଲୋଗାନ ଦିଆଯାଇ ଶାନ୍ତି ଓ ଭାଇଚାରା ମନୋଭା ଭଂଗ କରାଯାଇଥିବା ନେଇ ଅଭିଯୋଗ ହୋଇଛି।