Categories: ଜାତୀୟ

ଭାରତରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଖାଇବର ପାସ୍ତୁନଖ୍ବାରେ ୪୫ ଅଲ୍‌ ବଦର ସଦସ୍ୟଙ୍କୁ ତାଲିମ୍‌ ଦେଉଛି ପାକିସ୍ତାନ

ନୂଆଦିଲ୍ଲୀ,୨୯।୮: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ଜାରି ରଖିଛି। ଏବେ ଅଲ୍‌ ବଦର ଆତଙ୍କବାଦୀ ସଂଗଠନ ସଦସ୍ୟଙ୍କୁ ପାକିସ୍ତାନ ସୈନ୍ୟ ବାହିନୀ ତାଲିମ୍‌ ଦେବା ଆରମ୍ଭ କରିଛି। ଏଥିପାଇଁ ଖାଇବର ପାସ୍ତୁନଖ୍ବାରେ ଏକ ତାଲିମ୍‌ ଶିବିର ଖୋଲା ଯାଇଛି। ଏଠାରେ ଅଲ୍‌ ବଦରର ୪୫ ସଦସ୍ୟଙ୍କୁ ତାଲିମ୍‌ ଦିଆଯାଉଛି। ସେମାନଙ୍କୁ ଏକେ-୪୭ କିଭଳି ବ୍ୟବହାର କରାଯିବ ସେନେଇ ଶିକ୍ଷା ଦିଆଯାଉଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ ସେମାନଙ୍କୁ ଏଲ୍‌ଏମ୍‌ଜି, ପିଆଇକେଏ, ରକେଟ ଲଞ୍ଚର ବ୍ୟବହାର, ୟୁବିଜିଏଲ୍‌ ଏବଂ ହ୍ୟାଣ୍ଡ୍‌ ଗ୍ରେନେଡ୍‌ ବ୍ୟବହାର କରିବା ଆଦି ସମ୍ପର୍କରେ ତାଲିମ୍‌ ଦିଆଯାଉଛି। ବାଲାକୋଟରେ ଥିବା ଖାଇବର ପାସ୍ତୁନଖ୍ବାରେ ପୂର୍ବରୁ ଭାରତ ଏୟାର ଷ୍ଟ୍ରାଇକ୍‌ କରି ସାରିଛି। ପୂର୍ବରୁ ଏଠାରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କ ଶିବିର ଥିଲା, ତେବେ ଏବେ ଏହା ସହିତ ଜଡ଼ିତ ଥିବା ଅଲ୍‌ ବଦର ସଂଗଠନ ସଦସ୍ୟଙ୍କୁ ତାଲିମ୍‌ ଦେଇ ଆଇଏସ୍‌ଆଇ ନିର୍ଦ୍ଦେଶରେ ପାକିସ୍ତାନ ସୈନ୍ୟ ବାହିନୀ ଭାରତରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ରଚିଥିବା ଗୋଇନ୍ଦା ରିପୋର୍ଟରେ ଦର୍ଶାଯାଇଛି।

Share