Categories: ଜାତୀୟ

ଭାରତରେ ‘ଆଫଗାନ୍‌ ଆକ୍ରମଣ’ ପାଇଁ ଷଡ଼ଯନ୍ତ୍ର ରଚିଛିି ଆଇଏସ୍‌ଆଇ: ଜୈଶ୍‌ ଓ ଲଶ୍କରକୁ କରିଛି ହାତ ବାରିଶି

ନୂଆଦିଲ୍ଲୀ, ୧୧।୮: ଭାରତରେ ସ୍ବାଧୀନତା ଦିବସ ପୂର୍ବରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଆଇଏସ୍‌ଆଇ ‘ଆଫଗାନ୍‌ ଆକ୍ରମଣ’ ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଆକ୍ରମଣ ଆଫଗାନିସ୍ତାନର କିଛି ଆତଙ୍କବାଦୀଙ୍କ ଦ୍ୱାରା କରାଯିବାର ଆଶଙ୍କା ରହିଛି। ଏହା ସହିତ ଆଇଏସ୍‌ଆଇ ଜୈଶ୍‌-ଇ-ମହମ୍ମଦ ଏବଂ ଲଶ୍କର-ଇ-ତୋଏବା ଭଳି ଆତଙ୍କବାଦୀ ସଂଗଠନକୁ ହାତ ବାରିଶି କରି ଆକ୍ରମଣ ଲାଗି ଉଦ୍ୟମ କରୁଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ଇସଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ସଂଗଠନର କିଛି ସଦସ୍ୟ ମଧ୍ୟ ଥିବା ରିପୋର୍ଟରେ ଦର୍ଶାଯାଇଛି। ଇଦ୍‌-ଉଲ୍‌-ଜ୍ଜୁହା ନମାଜ ପାଠ ସମୟରେ ଆଇଏସ୍‌ଆଇ ନିର୍ଦ୍ଦେଶରେ ଆତଙ୍କବାଦୀ ସଂଗଠନ ଦ୍ୱାରା ଆକ୍ରମଣ କରାଯିବାର ଯୋଜନା ହୋଇଥିବା କୁହାଯାଉଛି। ଏହା ସହିତ ଅଗଷ୍ଟ ୧୫ ପୂର୍ବରୁ ମଧ୍ୟ ଆକ୍ରମଣ କରାଯିବା ପାଇଁ ଷଡ଼ଯନ୍ତ୍ର ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଆତଙ୍କବାଦୀମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ରେଲଓ୍ବେ ଷ୍ଟେଶନ, ବସ୍‌ ଷ୍ଟାଣ୍ଡ୍‌, ବିମାନବନ୍ଦର ଆଦିକୁ ଟାର୍ଗେଟ୍‌ କରିଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share