Categories: ଖେଳ

ଭାରତରେ ଏନ୍‌ବିଏର ପଦାର୍ପଣ ନେଇ ଚର୍ଚ୍ଚା :ମୁମ୍ବାଇରେ ଖେଳାଯିବ ଇଣ୍ଡିଆନା ପେସର୍ସ ଓ ସାକ୍ରାମୋଣ୍ଟୋ କିଙ୍ଗ୍ସ ମ୍ୟାଚ୍‌

ମୁମ୍ବାଇ,୨୪।୯(ପି.ଟି.)- ହାଇପ୍ରୋଫାଇଲ ବାସ୍କେଟ ବଲ୍‌ ଲିଗ୍‌ ଏନ୍‌ବିଏ(ନ୍ୟାଶନାଲ ବାସ୍କେଟବଲ ଆସୋସିଏଶନ) ଏଥର ଭାରତରେ ପଦାର୍ପଣ କରିବାକୁ ଯାଉଛି। ଏବେ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ୪ ଓ ୫ ତାରିଖରେ ମୁମ୍ବାଇରେ ଏନ୍‌ବିଏର କୋତୋଟି ପ୍ରି- ସେସନ ବାସ୍କେଟବଲ ମ୍ୟାଚ୍‌ ଆୟୋଜନ ହେବ। ପ୍ରଥମଥର ପାଇଁ ଭାରତରେ ଏନ୍‌ବିଏର ମ୍ୟାଚ୍‌ ଆୟୋଜନ ହେବାକୁ ଯାଉଛି। ଏହି ମୁକାବିଲାଗୁଡିକରେ ଇଣ୍ଡିଆନା ପେସର୍ସ ଓ ସାକ୍ରାମୋଣ୍ଟୋ କିଙ୍ଗ୍ସ ମୁହଁାମୁହିଁ ହେବେ।
ସୋମବାର ଟେକ୍ସାସ୍‌ର ହ୍ୟୁଷ୍ଟନ ସହରରେ ଆୟୋଜିତ ‘ହାଉଡି ମୋଦି’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ମ୍ୟାଚ୍‌ ଦେଖିବାକୁ ଇଚ୍ଛା ଜାହିର କରିଥିଲେ। ଏହି ମ୍ୟାଚ୍‌ ଦେଖିବାକୁ ମୋତେ ନିମନ୍ତ୍ରଣ କରାଯାଇଛି କି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ପ୍ରଶ୍ନ କରିଥିଲେ। ଏହାପରଠାରୁ ଏହି ମ୍ୟାଚ୍‌ ନେଇ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ ଅବସରରେ ଷ୍ଟାଡିୟମ ଖଚାଖଚ୍‌ ଭରା ହେବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି। ଏନ୍‌ବିଏ ଏବେ ଭାରତକୁ ଆମେରିକାର ଶ୍ରେଷ୍ଠ ରପ୍ତାନି ସାମଗ୍ରୀ ସାବ୍ୟସ୍ତ ହେବାକୁ ଯାଉଛି ବୋଲି ଟ୍ରମ୍ପ ତାଙ୍କ ଭାଷଣରେ କହିଥିଲେ। ଆସନ୍ତା ସପ୍ତାହରେ ଏନବିଏ ମ୍ୟାଚ୍‌ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ହେବେ। ଏହି ମ୍ୟାଚ୍‌ ଦେଖିବାକୁ ଭାରତ ଆସିପାରେ ଓ ଏଥିପାଇଁ ସତର୍କ ରହିଥିବେ ବୋଲି ସେ ମଜାରେ କହିଥିଲେ। ୪ ତାରିଖରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ରିଲାଏନ୍ସ ଫାଉଣ୍ଡେଶନ ଜୁନିୟର ପ୍ରୋଗ୍ରାମ ଅନୁଯାୟୀ ୩,୦୦୦ ଯୁବକଙ୍କ ପାଇଁ ସିଟ୍‌ ରିଜର୍ଭ କରାଯାଇଛି। ତେବେ ୫ ତାରିଖ ମ୍ୟାଚ୍‌ ସବୁ ଦର୍ଶକ ଉପଭୋଗ କରିପାରିବେ। ୫ ତାରିଖ ମ୍ୟାଚ୍‌ ପାଇଁ ୮୦ ପ୍ରତିଶତ ଟକେଟ ବିକ୍ରି ସରିଛି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି। ସେହିପରି ପ୍ରଥମ ଦିନର ମ୍ୟାଚ୍‌ର ୯୦ ପ୍ରତିଶତ ଟିକେଟ ପ୍ରଶଂସକମାନେ ନେଇ ସାରିଲେଣି। ସବୁ ଟିକେଟ ବିକ୍ରି ହୋଇଯିବ ଓ ବହୁ ସଂଖ୍ୟାରେ ମ୍ୟାଚ୍‌ ଦେଖିବାକୁ ଲୋକେ ଷ୍ଟାଡିୟମରେ ଉପସ୍ଥିତ ହେବେ ବୋଲି ଆଶା କରାଯାଉଛି। ଏହି ମ୍ୟାଚ୍‌ ଦେଖିବାକୁ ଅଧିକରୁ ଅଧିକ ସଂଖ୍ୟାରେ ପ୍ରଶଂସକ ଉପସ୍ଥିତ ରୁହନ୍ତୁ ଓ ଏହି ଅଭିଯାନ ଅଂଶସ୍ବରୂପ ୨୮ ଓ ୨୯ ତାରିଖରେ ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଏନ୍‌ବିଏର ଗ୍ଲୋବାଲ ବିଜ୍‌ନେସ୍‌ ଅପରେଶନ୍ସ ଉପାଧ୍ୟକ୍ଷ ଡାଇଆନ୍‌ ଗୌଟା କହିଛନ୍ତି।

Share