Categories: ଖେଳ

ଭାରତରେ ଏନ୍‌ବିଏ ମ୍ୟାଚ୍‌

ମୁମ୍ବାଇ, ୫।୧୦(ପି.ଟି.)- ସ୍ଥାନୀୟ ନ୍ୟାଶନାଲ ସ୍ପୋଟର୍‌ସ କ୍ଲବ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ସିଆଇ) ଡୋମଠାରେ ଶୁକ୍ରବାର ଏନ୍‌ବିଏର ଐତିହାସିକ ମ୍ୟାଚ୍‌ ଆୟୋଜିତ ହୋଇଛି। ଆମେରିକାର ହାଇପ୍ରୋଫାଇଲ ବାସ୍କେଟ ବଲ୍‌ ଲିଗ୍‌ ଏନ୍‌ବିଏ (ନ୍ୟାଶନାଲ ବାସ୍ପେଟବଲ ଆସୋସିଏଶନ)ର ଦୁଇ ଦଳ ସାକ୍ରାମେଣ୍ଟୋ କିଙ୍ଗ୍ସ ଓ ଇଣ୍ଡିଆନ ପେସର୍ସ ପରସ୍ପରକୁ ଭେଟିଥିଲେ।
୧୦ରୁ ୧୬ ବର୍ଷ ମଧ୍ୟରେ ବାଳକ ଓ ବାଳିକାମାନେ ଷ୍ଟାଡିୟମରେ ଉପସ୍ଥିତ ରହି ନିଜ ପସନ୍ଦର ଦଳକୁ ଚିୟର କରିଥିଲେ। ରିଲାଏନ୍ସ ଫାଉଣ୍ଡେଶନ ଜୁନିୟର ଏନ୍‌ବିଏ ପ୍ରୋଗ୍ରାମ୍‌ ତରଫରୁ ପିଲାମାନେ ପ୍ରତିନିଧିତ୍ୱ କରିଥିଲେ। ଭାରତରେ ଏନ୍‌ବିଏ ଓ ରିଲାଏନ୍ସ ଫାଉଣ୍ଡେଶନ ସହଭାଗିତାର ଷଷ୍ଠବର୍ଷ ପୂର୍ତ୍ତି ଅବସରରେ ଏହି ଐତିହାସିକ ମ୍ୟାଚ୍‌ ଆୟୋଜନ ହେବା ନିଶ୍ଚିତ ଭାବେ ଏକ ବଡ଼ କଥା। ରିଲାଏନ୍ସ ଫାଉଣ୍ଡେଶନ ଚେୟାରମ୍ୟାନ ନୀତା ଅମ୍ବାନୀ ଉପସ୍ଥିତ ଥିଲେ। ଗତ କେତେବର୍ଷ ହେବ ରିଲାଏନ୍ସ ଫାଉଣ୍ଡେଶନ ଜୁନିୟର ଏନ୍‌ବିଏ ୧୧ ମିଲିୟନ ପିଲାଙ୍କ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ରହିଆସିଛି ଓ ଦେଶର ୨୦ଟି ରାଜ୍ୟର ୩୪ଟି ସହରରୁ ୧୦,୦୦୦ କୋଚ୍‌ଙ୍କୁ ପ୍ରଶିକ୍ଷଣ ଦେଇଛି। ଭାରତ ଏକ କ୍ରୀଡ଼ା ରାଷ୍ଟ୍ରରେ ପରିଣତ ହେଉ ଓ ଏହା ମୋର ସ୍ବପ୍ନ ବୋଲି ନୀତା କହିଛନ୍ତି। କ୍ରୀଡ଼ା ଓ ଶିକ୍ଷାରେ ଛୋଟ ପିଲାମାନେ ବିକଶିତ ହୁଅନ୍ତୁ ବୋଲି ଆଶା କରୁଛି । ଏ ନେଇ ଭାରତ ସାରା ବିଶ୍ୱ ଦରବାରରେ ପରିଚିତ ହେବା ସହ ସ୍ବତନ୍ତ୍ର ସ୍ଥାନ ହାସଲ କରିବା ନେଇ ମୋର ସ୍ବପ୍ନ ରହିଛି ବୋଲି ସେ କହିଛନ୍ତି। ଏହି ଅବସରରେ ଏନ୍‌ବିଏ କମିଶନର ଅଡାମ ସିଲଭର ଉପସ୍ଥିତ ରହିଥିଲେ। ନୀତା ଏନ୍‌ବିଏ ଅଧିକାରୀଙ୍କୁ ମ୍ୟାଚ୍‌ ବଲ୍‌ ପ୍ରଦାନ କରିଥିଲେ।

Share