Categories: ଖେଳ

ଭାରତରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପୂର୍ଣ୍ଣାଙ୍ଗ ସିରିଜ ଖେଳିବ ଆଫଗାନିସ୍ତାନ

ନୂଆଦିଲ୍ଲୀ, ୭ା୭ (ପି.ଟି.)-ଆଫଗାନିସ୍ତାନ ନଭେମ୍ବରରେ ଏହାର ପୋଷ୍ୟ ଘରୋଇ ଦେଶ ଭାରତରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏକ ପୂର୍ଣ୍ଣାଙ୍ଗ କ୍ରିକେଟ ସିରିଜ ଖେଳିବ। ଏହି ଦେଶର କ୍ରିକେଟ ବୋର୍ଡ ତରଫରୁ ସୂଚନା ମିଳିଛି। କ୍ୟାରିବିୟନ୍ସଙ୍କ ବିପକ୍ଷ ଘରୋଇ ସିରିଜରେ ଆଫଗାନିସ୍ତାନ ୩ ଅନ୍ତର୍ଜାତୀୟ ଟି୨୦, ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ଏକ ମାତ୍ର ଟେଷ୍ଟ ମ୍ୟାଚ ଖେଳିବ। ହେଲେ ମ୍ୟାଚଗୁଡ଼ିକ ଲାଗି ଏପର୍ଯ୍ୟନ୍ତ ଭେନ୍ୟୁ ସ୍ଥିର ହୋଇପାରିନି। ଓ୍ବେଷ୍ଟଇଣ୍ଡିଜ ନଭେମ୍ବର ୫ରୁ ଡିସେମ୍ବର୧ ପର୍ଯ୍ୟନ୍ତ ଟୁର୍‌ରେ ଆସିବ। ଆଫାନିସ୍ତାନ କ୍ରିକେଟ ବୋର୍ଡ ତରଫରୁ ଏକଥା କୁହାଯାଇଛି। ଓ୍ବେଷ୍ଟଇଣ୍ଡିଜ ସିରିଜ ବିପକ୍ଷ ପୂର୍ବରୁ ଜାତୀୟ ଦଳ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ଏକ ମାତ୍ର ଟେଷ୍ଟ ମ୍ୟାଚ ଖେଳିବ। ପରେ ବାଂଲାଦେଶ ଓ ଜିମ୍ବାଓ୍ବେକୁ ନେଇ ଏକ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ ଖେଳାଯିବ। ଆଫଗାନିସ୍ତାନ ଏବଂ ଓ୍ବେଷ୍ଟଇଣ୍ଡିଜ ପରସ୍ପର ସହିତ ମାତ୍ର ୧୦ ଅନ୍ତର୍ଜାତୀୟ ଖେଳିଛନ୍ତି। ତନ୍ମଧ୍ୟରୁ ୮ଟି କ୍ୟାରିବିୟନରେ ଅନୁଷ୍ଠିତ ହୋଇଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ ୫-୪ରେ ଅଗ୍ରଣୀ ରହିଛି। ଆଫଗାନିସ୍ତାନ ଏପର୍ଯ୍ୟନ୍ତ ଦୁଇଟି ଟେଷ୍ଟ ମ୍ୟାଚ ଖେଳି ସାରିଛି। ଗତବର୍ଷ ଭାରତ ବିପକ୍ଷରେ ସେମାନେ ପରାଜିତ ହୋଇଥିଲେ। ଗତ ମାର୍ଚ୍ଚ ମାସରେ ସେମାନେ ଆୟର୍ଲାଣ୍ଡ ବିପକ୍ଷରେ ୭ ଉଇକେଟରେ ବିଜୟ ହାସଲ କରିଥିଲେ।
କାର୍ଯ୍ୟସୂଚୀ
ନଭେମ୍ବର ୫: ପ୍ରଥମ ଅନ୍ତର୍ଜାତୀୟ ଟି୨୦
ନଭେମ୍ବର ୭: ଦ୍ୱିତୀୟ ଟି୨୦
ନଭେମ୍ବର ୯: ତୃତୀୟ ଟି୨୦
ନଭେମ୍ବର ୧୩: ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ
ନଭେମ୍ବର ୧୬: ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ
ନଭେମ୍ବର ୧୮: ତୃତୀୟ ଅନ୍ତର୍ଜାତୀୟ ଦିନିକିଆ
ନଭେମ୍ବର ୨୭ରୁ ଡିସେମ୍ବର ୧: ଏକମାତ୍ର ଟେଷ୍ଟ ମ୍ୟାଚ୍‌।

Share