Categories: ଜାତୀୟ

ଭାରତରେ ‘କରୋନା’ ଆତଙ୍କ

ନୂଆଦିଲ୍ଲୀ,୨୬ା୧(ପି.ଟି.): ଚାଇନାରୁ ଫେରିଥିବା ଆଉ ୭ ଜଣଙ୍କୁ କେରଳର ବିଭିନ୍ନ ହସ୍ପିିଟାଲରେ ଅବ୍‌ଜର୍‌ଭେଶନରେ ରଖାଯାଇଛି। ସେମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି। ତେବେ ଏପର୍ଯ୍ୟନ୍ତ ଭାରତରେ କୌଣସି ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ନ ଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଶନିବାର କହିଛନ୍ତି। କେରଳର ୭ ଜଣ ଯାତ୍ରୀଙ୍କ ନମୁନା ପୁଣେର ଆଇସିଏମ୍‌ଆର୍‌-ଏନ୍‌ଆଇଭି ଲାବୋରେଟୋରିକୁ ପଠାଯାଇଛି। ହର୍ଷବର୍ଦ୍ଧନଙ୍କ ନିର୍ଦ୍ଦେଶରେ ଏନ୍‌ସିଡିସି କଲ୍‌ ସେଣ୍ଟର (+୯୧-୧୧-୨୩୯୭୮୦୪୬) ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଫେରୁଥିବା ଯାତ୍ରୀମାନଙ୍କୁ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାଞ୍ଚ କରାଯାଉଛି। ଏକାଧିକ କେନ୍ଦ୍ରୀୟ ଟିମ୍‌ ଏହିସବୁ ବିମାନବନ୍ଦରକୁ ପଠାଯାଇଛି। ପ୍ରତି ଟିମ୍‌ରେ ଜଣେ ଜନସ୍ବାସ୍ଥ୍ୟ ବିଶେଷଜ୍ଞ, କ୍ଲିନିସିଆନ୍‌ ଓ ମାଇକ୍ରୋବାୟୋଲୋଜିଷ୍ଟଙ୍କୁ ରଖାଯାଇଛି। କରୋନା ଭୂତାଣୁ ପ୍ରତିକାର ଓ ପରିଚାଳନାର ପ୍ରସ୍ତୁତି ସମ୍ପର୍କରେ ବର୍ଦ୍ଧନ ସମୀକ୍ଷା କରିଥିଲେ। ନେପାଳ ସୀମାରେ ଯାଞ୍ଚ କରିବା ଲାଗି ସମସ୍ତ ସହାୟତା ଯୋଗାଇ ଦେବାକୁ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରି ଜାରି କରାଯାଇ ଚାଇନାରୁ ଫେରୁଥିବା ଯାତ୍ରୀମାନଙ୍କୁ କ’ଣ କରିବାକୁ ହେବ ଓ ସେମାନେ କ’ଣ କରିବେ ନାହିଁ ସେନେଇ ପରାମର୍ଶ ଦିଆଯାଇଥିଲା। ଚାଇନାରେ ଯେଉଁ ଭାରତୀୟ ଅଛନ୍ତି ସେମାନେ ଅସୁସ୍ଥ ଅନୁଭବ କଲେ କିମ୍ବା ଜ୍ୱର ଓ କାଶ ହେଲେ ମୁହଁକୁ ଆବୃତ କରିବା ସହ ଡାକ୍ତରଙ୍କ ପରାମର୍ଶ ନେବା ଓ ଭାରତୀୟ ଦୂତାବାସକୁ ଜଣାଇବା ପାଇଁ କୁହାଯାଇଛି। ଫେରିବା ବାଟରେ ଯଦି କେହି ଅସୁସ୍ଥ ଅନୁଭବ କରନ୍ତି ତେବେ ବିମାନ କର୍ମଚାରୀଙ୍କୁ ଜଣାଇବାକୁ ଏବଂ ପରିବାର ସଦସ୍ୟ ଓ ଅନ୍ୟ ଯାତ୍ରୀଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି।
ଅନ୍ୟପକ୍ଷରେ କରୋନା ଭାଇରସ୍‌ ସଂକ୍ରମଣର କେନ୍ଦ୍ରସ୍ଥଳ ଚାଇନାର ୟୁହାନ ସହରରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରିବା ଲାଗି ଅନୁମତି ଦେବାକୁ ନୂଆଦିଲ୍ଲୀ ପକ୍ଷରୁ ଚାଇନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ୟୁହାନ ସହରକୁ ଏବେ ବାହ୍ୟଜଗତଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିଦିଆଯାଇଛି ଓ କାହାକୁ ବାହାରକୁ ଛଡ଼ାଯାଉ ନାହିଁ।

Share