Categories: ଜାତୀୟ

ଭାରତରେ କରୋନା ! ଜୟପୁରରେ ଜଣେ ରୋଗୀ ଡାକ୍ତରଖାନାରେ ଭର୍ତ୍ତି

ଜୟପୁର,୨୭ା୧: ଚାଇନାରେ କରୋନା ଭୂତାଣୁ ନେଲାଣି ୫୦ ଜୀବନ। ସେଠାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏବେ ଏହି ଭୂତାଣୁ ଭାରତରେ ପ୍ରବେଶ କରିଥିବା ଜଣାପଡିଛି। ରାଜସ୍ଥାନର ଜୟପୁରରେ କରୋନା ଭୂତାଣୁରେ ଆକ୍ରାନ୍ତ ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡା. ରଘୁ ଶର୍ମା ଡାକ୍ତରଖାନା ପ୍ରଶାସନକୁ ଉକ୍ତ ବ୍ୟକ୍ତିଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ରକ୍ତ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ନମୁନା ପୁଣେ ଲ୍ୟାବ୍‌ ପରୀକ୍ଷା ପାଇଁ ପଠାଯାଇଛି। ରାଜସ୍ଥାନର ୪ଟି ଜିଲାର ୧୮ଜଣ ବ୍ୟକ୍ତି ନିକଟରେ ଚାଇନାରୁ ଫେରିଛନ୍ତି। ଏହି ୧୮ଜଣଙ୍କୁ ଏବେ କଡା ନଜରରେ ରଖାଯାଇଛି। ସେମାନଙ୍କଠାରେ କରୋନା ଭୂତାଣୁ ଅଛି କି ନାହିଁ ତାହା ଉପରେ କଡା ନଜର ରଖାଯାଇଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଚାଇନା ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ମାରାତ୍ମକ ଭୂତାଣୁର କେନ୍ଦ୍ରସ୍ଥଳ କୁହାଯାଉଥିବା ୟୁହାନ ସମେତ ୧୩ଟି ସହରକୁ ଗମନାଗମନ ବନ୍ଦ କରିଦିଆଯିବା ସହ ଏହି ସହରଗୁଡ଼ିକୁ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ କରିଦିଆଯାଇଛି। ଫଳରେ ୪୧ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି।

Share