ଭାରତରେ କରୋନା ମୃତ୍ୟୁ ୧୭୯କୁ ବୃଦ୍ଧି

ନୂଆଦିଲ୍ଲୀ,୯।୪: କ୍ରମଶଃ ଭାରତରେ କାୟାବିସ୍ତାର କରିବାରେ ଲାଗିଛି କରୋନା ଭୂତାଣୁ। ଅଦ୍ୟାବଧି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫,୯୧୬କୁ ବୃଦ୍ଧିପାଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୧୭୯ରେ ପହଞ୍ଚିଛି। ଦିନକରେ ୫୬୫ ନୂଆ ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଦେଶର ସର୍ବାଧିକ କରୋନା ଆକ୍ରାନ୍ତ ଏହି ରାଜ୍ୟରେ ଅଛନ୍ତି। ମହାରାଷ୍ଟ୍ରରେ ଭୂତାଣୁ ୧,୧୩୫ ଜଣଙ୍କୁ ସଂକ୍ରମିତ କରିଥିବା ବେଳେ ୭୨ ଜଣ ପ୍ରାଣ ହରାଇଲେଣି। ଏଠାରେ ୯୮୪ଟି ଆକ୍ଟିଭ ମାମଲା ରହିଛି। ୨୪ ଘଣ୍ଟାରେ ୧୧୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ତାମିଲନାଡ଼ୁରେ ମୃତ୍ୟୁସଂଖ୍ୟା ୧୮ ରହିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୭୩୮ରେ ପହଞ୍ଚିଛି। ଗୋଟିଏ ଦିନରେ ଏଠାରେ ୪୮ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ଭୂତାଣୁ ୯ ମୁଣ୍ଡ ନେଇଥିବା ବେଳେ ୬୬୯ ବ୍ୟକ୍ତି ଆକ୍ରାନ୍ତ ଅଛନ୍ତି। ତେଲଙ୍ଗାନାରେ ୧୧ ଜୀବନ ଯାଇଛି। ଏଠାରେ କରୋନା ରୋଗୀଙ୍କ ସଂଖ୍ୟା ଏବେ ୪୫୩ରେ ପହଞ୍ଚିଛି। ଗୋଟିଏ ଦିନରେ ଏଠାରେ ୪୯ ଜଣ ଭୂତାଣୁ ସଂକ୍ରମିତ ହୋଇଛନ୍ତି। ରାଜସ୍ଥାନରେ ମୋଟ ୩୮୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜୀବନ ଯାଇଛି। ଉତ୍ତରପ୍ରଦେଶରେ ୩୬୧ ରୋଗୀ ଥିବାବେଳେ ୪ ମୁଣ୍ଡ ଗଡ଼ିିଲାଣି। ସେହିଭଳି ମଧ୍ୟପ୍ରଦେଶରେ ୨୪, ଗୁଜରାଟରେ ୧୬, କର୍ନାଟକରେ ୫, ପଞ୍ଜାବରେ ୯, ପଶ୍ଚିମବଙ୍ଗରେ ୫, ହିମାଚଳପ୍ରଦେଶ ଓ ହରିୟାଣାରେ ୨ ଜଣ ଲେଖାଏ, ଜମ୍ମୁ-କଶ୍ମୀରରେ ୩ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

Share