ଭାରତରେ କରୋନା ସଂକ୍ରମଣ ହାର ଅଧିକ ନ ଥିଲେ ବି ରହିଛି ବିପଦ ଆଶଙ୍କା: ଡବ୍ଲ୍ୟୁଏଚ୍‌ଓ

ଜେନେଭା/ନୂଆଦିଲ୍ଲୀ, ୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ସରକାର କରୋନା ବିରୋଧରେ ଲଢ଼େଇ ଜୋର୍‌ଦାର କରିଛନ୍ତି। ସରକାରଙ୍କ ଏହି ଉଦ୍ୟମକୁୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ପ୍ରଶଂସା କରାଯାଇଛି। ଭାରତରେ କରୋନା ସଂକ୍ରମଣ ହାର ଅଧିକ ନ ଥିଲେ ବି ବିପଦ ଆଶଙ୍କା ରହିଥିବା ଡବ୍ଲ୍ୟୁଏଚ୍‌ଓର ଜରୁରୀକାଳୀନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ମାଇକେଲ ରୟାନ କହିଛନ୍ତି। ଭାରତରେ ଜନସଂଖ୍ୟାର ଘନତ୍ୱ ଅଧିକ ରହିଥିବା ଯୋଗୁ ବିପଦର ଯଥେଷ୍ଟ ଆଶଙ୍କା ଥିବା ସେ କହିଛନ୍ତି। ଦକ୍ଷିଣ ଏସିଆର ଅଧିକ ଜନସଂଖ୍ୟା ଘନତ୍ୱଥିବା ଦେଶ ପାକିସ୍ତାନ ଏବଂ ବାଂଲାଦେଶ ଉପରେ ମଧ୍ୟ ବିପଦ ରହିଥିବା ସେ କହିଛନ୍ତି। ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହେବ ବୋଲି ସେ ସତର୍କ ସୂଚନା ଦେଇଛନ୍ତି। ଦେଶରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ହୋଇଥିବା ଅନ୍‌ଲକ୍‌ ନିଷ୍ପତ୍ତି ଯୋଗୁ ଗହଳି ପୁଣି ବଢ଼ିଛି। ଫଳରେ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବ ହୋଇ ପାରୁନାହିଁ। ଏହା ସହିତ ପ୍ରବାସୀଙ୍କ ସଂଖ୍ୟା ବୃଦ୍ଧି ଏବଂ ସହରାଞ୍ଚଳରେ ଭିଡ଼ ବଢ଼ିବା ଯୋଗୁ କରୋନା ସଂକ୍ରମଣ ଆଶଙ୍କା ଦେଖାଦେଇଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ କୋଟି ଜନସଂଖ୍ୟା ତୁଳନାରେ ଅଧିକ ନ ହେଲେ ମଧ୍ୟ ଏହା ଯେପରି ଦୁଇଗୁଣା ହାରରେ ବୃଦ୍ଧି ନ ପାଇବ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଥିବା ଡବ୍ଲ୍ୟୁଏଚ୍‌ଓର ମୁଖ୍ୟ ବୈଜ୍ଞାନିକ ସୋମା ସ୍ବାମୀନାଥନ୍‌ କହିଛନ୍ତି।

Share