ଈପ୍ସିତା ମହାନ୍ତି
ଭାରତୀୟ ଖାଦ୍ୟ ସଂସ୍କୃତି ଆଜି ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ ଆଡ଼କୁ ଗତି କରୁଛି। ଏହାକୁ ‘ଆଧୁନିକ’ ଖାଦ୍ୟର ମୂଳ ଆଧାର ବୋଲି କୁହାଗଲାଣି। ଏହି ଖାଦ୍ୟ ଆମ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି। ଯେଉଁ କଥା ଚିକିତ୍ସକ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଦୀର୍ଘ ଦିନରୁ ସତର୍କ କରାଇଛନ୍ତି, ନିକଟରେ ପ୍ରକାଶିତ ଘରୋଇ ଉପଭୋକ୍ତା ଏବଂ ବ୍ୟୟ ସର୍ବେକ୍ଷଣ (ଏଚ୍ସିଇଏସ୍) ତଥ୍ୟ ପୁଣି ସେହି କଥା ଉଜାଗର କରିଛି। ଏହି ନବୀନତମ ସର୍ବେକ୍ଷଣ ଅଗଷ୍ଟ ୨୦୨୨ରୁ ଜୁଲାଇ ୨୦୨୩ ମଧ୍ୟରେ ହୋଇଥିଲା। ୧୧ବର୍ଷର ବ୍ୟବଧାନ ପରେ ପ୍ରକାଶିତ ଏହି ସର୍ବେକ୍ଷଣକୁ ପୂର୍ବ ସର୍ବେକ୍ଷଣ ସହିତ ତୁଳନା କରାଯାଇ ନ ପାରେ। ସଦ୍ୟତମ ଏହି ଘରୋଇ ଉପଭୋକ୍ତା ଏବଂ ବ୍ୟୟ ସର୍ବେକ୍ଷଣରେ ଅନେକ ନୂତନ ତଥ୍ୟ ସ୍ଥାନିତ ହୋଇଛି। ଏଥିରେ ପରିବର୍ତ୍ତନର ବ୍ୟାପକ ଧାରା ମଧ୍ୟ ସ୍ପଷ୍ଟ ହୋଇଛି। ଏଗୁଡ଼ିକ ମଧ୍ୟରେ ଏକ ଧାରା ଭାରତୀୟ ଖାଦ୍ୟପେୟ ସହିତ ଜଡ଼ିତ। ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ମୋଟ ଖାଦ୍ୟ ଉପଭୋକ୍ତା ବ୍ୟୟରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଶସ୍ୟ ଏବଂ ଡାଲି ଜାତୀୟ ଖାଦ୍ୟର ବ୍ୟବହାରିତା ଦ୍ରୁତ ଗତିରେ ହ୍ରାସ ପାଉଛି। ୧୯୯୯-୨୦୦୦ରେ ଗ୍ରାମାଞ୍ଚଳ ପରିବାର ଖର୍ଚ୍ଚ କରିଥିବା ଶସ୍ୟ ଜାତୀୟ ଖାଦ୍ୟ ମୋଟ ଉପଭୋକ୍ତା ଖର୍ଚ୍ଚର ୨୨.୧୬ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୪.୯୧ ପ୍ରତିଶତକୁ ହ୍ରାସ ପାଇଛି। ଏହି ଅବଧିରେ ସହରାଞ୍ଚଳ ପରିବାରରେ ଏହି ଖର୍ଚ୍ଚ ୧୨ ପ୍ରତିଶତରୁ ୩.୬୪ ପ୍ରତିଶତକୁ ହ୍ରାସ ପାଇଛି। ସେହିଭଳି ୧୯୯୯-୨୦୦୦ରେ ଗ୍ରାମାଞ୍ଚଳ ପରିବାରରେ ଡାଲି ଜାତୀୟ ଖାଦ୍ୟର ଖର୍ଚ୍ଚ ମୋଟ ଉପଭୋକ୍ତା ଖର୍ଚ୍ଚର ୩.୮୧ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୧.୭୭ ପ୍ରତିଶତକୁ କମିଛି। ସହରାଞ୍ଚଳ ପରିବାରରେ ଏହା ୨.୮୪ ପ୍ରତିଶତରୁ ୧.୨୧ ପ୍ରତିଶତକୁ ହ୍ରାସ ପାଇଛି। ଏଥିରୁ ସ୍ପଷ୍ଟ ଯେ ଗ୍ରାମୀଣ ପରିବାରରେ ଉଭୟ ଶସ୍ୟ ଏବଂ ଡାଲି ଜାତୀୟ ଖାଦ୍ୟର ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇଛି। ଏହାର ଏକ ମୁଖ୍ୟ କାରଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ଏବଂ ସବସିଡି ଯୁକ୍ତ ଖାଦ୍ୟଶସ୍ୟ (ଶସ୍ୟ ଏବଂ ଡାଲି) ବଣ୍ଟନ କାର୍ଯ୍ୟକ୍ରମ ହୋଇପାରେ।
ସଦ୍ୟତମ ଘରୋଇ ଉପଭୋକ୍ତା ଏବଂ ବ୍ୟୟ ସର୍ବେକ୍ଷଣରୁ ଜଣାଯାଏ ଯେ, ଲୋକମାନେ ବର୍ତ୍ତମାନ ମାଛ, ମାଂସ, ଦୁଗ୍ଧ, ଅଣ୍ଡା, ଫଳ ଏବଂ ପନିପରିବା ପାଇଁ ଅଧିକ ଖର୍ଚ୍ଚ କରିବା ଆରମ୍ଭ କରିଛନ୍ତି। ସର୍ବେକ୍ଷଣ କହୁଛି ଭାରତୀୟମାନେ ଅଧିକ ଶୁଖିଲା ଫଳ ଖାଉଛନ୍ତି। କିନ୍ତୁ ଏହି ସର୍ବେକ୍ଷଣର ପରିସଂଖ୍ୟାନ ସମ୍ପୂର୍ଣ୍ଣ ବିଷୟ ପରିପ୍ରକାଶ କରେନାହିଁ। ଏଥିରେ ଚିନ୍ତିତ କଲାଭଳି ଏକାଧିକ ସୂଚକ ରହିଛି। ୨୦୧୧-୧୨ରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମୀଣ ଭାରତୀୟଙ୍କ ‘ପାନୀୟ ଏବଂ ପ୍ରକ୍ରିୟାକୃତ ଖାଦ୍ୟ’ର ମାସିକ ମୁଣ୍ଡପିଛା ଖର୍ଚ୍ଚ ୭.୯ ରୁ ୯.୪ ପ୍ରତିଶତକୁ ବୃଦ୍ଧି ପାଇଥିଲା। ୧୯୯୯-୨୦୦୦ରେ ଏହା ୪.୧୯ ପ୍ରତିଶତ ଥିଲା। ଏଥିସହିତ ଗତ ଦଶନ୍ଧିର ଏହି ଅବଧିରେ ଭାରତର ଗ୍ରାମାଞ୍ଚଳରେ ପାନ, ତମାଖୁ ଏବଂ ଅନ୍ୟାନ୍ୟ ମାଦକଦ୍ରବ୍ୟର ଖର୍ଚ୍ଚ ୩.୨୧ ରୁ ୩.୭୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଯାହା ୧୯୯୯-୨୦୦୦ରେ ୨.୮୭ ପ୍ରତିଶତ ଥିଲା। ଏହି ଆକଳନରୁ ଲୋକଙ୍କ ଆଦୃତ ସ୍ପଷ୍ଟ ଭାବେ ପ୍ରତୀୟମାନ ହୋଇଥାଏ।
ଭାରତୀୟ ସହରଗୁଡ଼ିକର ଆହାର (ଡାଏଟ) ସମ୍ବନ୍ଧୀୟ ତଥ୍ୟ ଆହୁରି ଚିନ୍ତାଜନକ। ସଦ୍ୟତମ ଆକଳନ ଅନୁଯାୟୀ ସହରାଞ୍ଚଳ ଭାରତରେ ମୋଟ ମାସିକ ଉପଭୋକ୍ତା ଖର୍ଚ୍ଚର ପ୍ରାୟ ୧୧ ପ୍ରତିଶତ ପ୍ରକ୍ରିୟାକୃତ ଖାଦ୍ୟ ପାଇଁ ଖର୍ଚ୍ଚ ହେଉଛି। ଏହା ଏମିତି ଏକ ମୁହୂର୍ତ୍ତ, ଯେତେବେଳେ ଜୀବନଶୈଳୀ ସହ ଜଡ଼ିତ ରୋଗ ଭାରତରେ ମହାମାରୀ ପରି ବ୍ୟାପୁଛି, ଯାହାର ଏକ ପ୍ରମୁଖ କାରଣ ଖରାପ ଖାଦ୍ୟାହାର। ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ଦେଶର ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପ୍ରକ୍ରିୟାକୃତ ଖାଦ୍ୟର ବ୍ୟବହାର ବୃଦ୍ଧି ପାଉଛି। ଭାରତୀୟଙ୍କ ଆହାର ଶୈଳୀର ଏହି ପରିବର୍ତ୍ତନ ସହିତ ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିର ନିବିଡ଼ ସମ୍ପର୍କ ରହିଛି। ବିଭିନ୍ନ ଅଧ୍ୟୟନ ଏବଂ ଅନୁସନ୍ଧାନ କହୁଛି ଯେ, ଏହି ପ୍ରକ୍ରିୟାକୃତ ଖାଦ୍ୟ ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଣ ସଂକ୍ରାମକ ରୋଗ ପାଇଁ ଏକ ବିପଦପୂର୍ଣ୍ଣ କାରକ। ଲୁଣିଆ ସ୍ନାକ୍ସର ଅତ୍ୟଧିକ ଉପତ୍ାଦନ ଓ ବ୍ୟବହାର ଅତ୍ୟନ୍ତ ଚିନ୍ତାଜନକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୨୦୨୩ରେ ପ୍ରକାଶ କରିଥିଲା। କାରଣ ଏଭଳି ଖାଦ୍ୟାହାର ଲୋକଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ଏବଂ ଅନ୍ୟାନ୍ୟ ଅଣ ସଂକ୍ରାମକ ରୋଗ ବୃଦ୍ଧିର ଆଶଙ୍କା ସୃଷ୍ଟି କରୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟରେ ଏହା କୁହାଯାଇଛି ଯେ, ଖୁଚୁରା ବିକ୍ରୟ ପରିମାଣ ଅନୁଯାୟୀ ପ୍ରସ୍ତୁତ ତଥା ସୁବିଧାଜନକ ଭୋଜନର ଉପ-ଶ୍ରେଣୀରେ ସସ୍/ପ୍ୟାକେଟ ଖାଦ୍ୟ/ମସଲାର ପ୍ରାଧାନ୍ୟ ରହିଛି। ଏହା ପଛକୁ ତୁରନ୍ତ ପ୍ରସ୍ତୁତ ହେଉଥିବା ଖାଦ୍ୟ, ନୁଡୁଲ୍ସ ଏବଂ ରେଡି ଟୁ ଇଟ୍ ନାମରେ ବିକ୍ରି ହେଉଥିବା ରନ୍ଧନ ସାମଗ୍ରୀ ଅଛି। ଏହି ଉତ୍ପାଦଗୁଡ଼ିକ ପ୍ରାୟତଃ ଚିନି, ଲୁଣ, ତେଲ, ମସଲା ଏବଂ ସନ୍ତୁଳିତ ଚର୍ବିରେ ଭରି ରହିଥାଏ। ତେଣୁ ନିୟମିତ ଏଭଳି ଖାଦ୍ୟ ଗ୍ରହଣ ଦ୍ବାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼େ। ଖୁଚୁରା ବିକ୍ରୟ ମୂଲ୍ୟ ସନ୍ଦର୍ଭରେ ୨୦୨୧ରେ ଏହି ଶ୍ରେଣୀର ବଜାର ଅଂଶଧନ ୯୦ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ୨୦୧୧ ରେ ୮୮ ପ୍ରତିଶତ ଥିଲା।
ଯେହେତୁ ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି, ତେଣୁ ଅତ୍ୟଧିକ ଶର୍କରା ଏବଂ ଉଚ୍ଚ ଗ୍ଲାଇସେମିକ ଇଣ୍ଡେକ୍ସ (କାର୍ବୋହାଇଡ୍ରେଟ ଯୁକ୍ତ ଆହାରର ପାଚନ ଏବଂ ଏକ ନିଶ୍ଚିତ ସମୟାବଧିରେ ଶର୍କରା ସ୍ତର ମାପିବାର ପ୍ରକ୍ରିୟା) ଯୁକ୍ତ ଜଳଖିଆ ଅବା ସ୍ବଳ୍ପାହାର ଖାଦ୍ୟ ମଧ୍ୟ ଚିନ୍ତାର କାରଣ ପାଲଟିଛି। ଉଚ୍ଚ ଗ୍ଲାଇସେମିକ ଇଣ୍ଡେକ୍ସର ପରିଣାମ ସ୍ବରୂପ ରକ୍ତରେ ରକ୍ତ ଶର୍କରା (ବ୍ଲଡ ସୁଗାର) ସ୍ତର ହଠାତ ବୃଦ୍ଧି ହୋଇପାରେ, ଯାହା ମଧୁମେହ ରୋଗୀଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଭାରତରେ ଛୋଟ ପିଲା ଏବଂ କିଶୋରମାନଙ୍କ ଶରୀରରେ ରକ୍ତ ଶର୍କରାର ସ୍ତର ସାଧାରଣଠାରୁ ବହୁତ ଅଧିକ ରହୁଛି ।
ସମ୍ପ୍ରତି ଏହି ମାମଲା କ୍ରମାଗତ ବୃଦ୍ଧି ପାଉଛି।
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫