Categories: ଖେଳ

ଭାରତରେ ବୋଲ୍ଟଙ୍କ ଠାରୁ ଦ୍ରୁତତମ ଧାବକ

ବାଙ୍ଗାଲୋର,୧୪।୨- ବିଶ୍ୱର ସବୁଠୁ ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବୋଧ ହୁଏ ପ୍ରତିଦ୍ୱନ୍ଦ୍ୱୀ ମିଳିଯାଇଛି। କର୍ନାଟକର ଏକ ଗ୍ରାମରେ ଅନୁଷ୍ଠିତ ପାରମ୍ପରିକ କମ୍ବାଲ ଜକି ଦୌଡ଼ରେ ଶ୍ରୀନିବାସ ରାତାରାତି ସେନସେଶନ ପାଲଟି ଯାଇଛନ୍ତି। ସେ ପାରମ୍ପରିକ ଷଣ୍ଢ ଦୌଡ଼ରେ ୧୪୨.୫୦ ମିଟର ଦୂରତା ୧୩.୬୨ ସେକେଣ୍ଡରେ ଅତିକ୍ରମ କରିଛନ୍ତି। ୨୮ ବର୍ଷୀୟ ଶ୍ରିନିବାସ ଗୌଡ଼ାଙ୍କ ଏହି ଟାଇମିଂ ପାରମ୍ପାରିକ ଦୌଡ଼ରେ ଇତିହାସ ରଚିବା ପାଇଁ ଯଥେଷ୍ଟ ଥିଲା। ସେ ୩୦ ବର୍ଷ ପୂରୁଣା ରେକର୍ଡ ଭଙ୍ଗ କରିଛନ୍ତି। ଏହି ରେସ୍‌ ପରେ ୧୦୦ ମି. ଦୌଡ଼ରେ ବିଶ୍ୱ ରେକର୍ଡଧାରୀ ବୋଲ୍‌ଟଙ୍କ ସହ ତାଙ୍କ ତୁଳନା କରାଯାଉଛି। ବୋଲ୍ଟ ୯.୫୮ ସେକେଣ୍ଡ୍ସରେ ୧୦୦ ମି. ରେସ ଶେଷ କରିଥିଲେ। ୧୪୨.୫୦ ମି. ରେସରେ ଗୌଡ଼ା ୧୩.୬୨ ସେ. ଟାଇମିଂ ହାସଲ କିରଥିଲେ। ଏଣୁ ଏହାକୁ ଗାଣିତକ ହିସାବରେ ୧୦୦ ମି. ଦୌଡ଼କୁ ଶେଷ କରିବା ପାଇଁ ଗୌଡ଼ାଙ୍କୁ ୯.୫୫ ସେ. ଲାଗିବ। ଏହା ବୋଲ୍ଟଙ୍କ ରେକର୍ଡଠାରୁ ୦.୦୩ ସେ. ଦ୍ରୁତତମ। ତେବେ କେବଳ ରେକର୍ଡକୁ ତୁଳନା କରି ଫଳାଫଳ ବାହର କରାଯାଇ ପାରିବ ନାହିଁ। ଗୌଡ଼ା ଦୁଇ ଶଣ୍ଢଙ୍କ ସହ ଦୌଡ଼ୁଥିଲେ। ଶଣ୍ଢର ଗତି ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲା। କିନ୍ତୁ ଦୌଡ଼କୁ କାଦୁଅ ରାସ୍ତାରେ ଆୟୋଜନ କରାଯାଏ, ଯେଉଁଥିରେ ଦୌଡ଼ିବା କଷ୍ଟକର। ଏହି ପ୍ରଦର୍ଶନ ଯୋଗୁ ସେ ରାତାରାତି ସେନସେଶନ ପାଲଟିଯାଇଛନ୍ତି। ତାଙ୍କ ଦୌଡ଼ିବାବେଳର ଭିଡିଓ ଟୁଇଟର, ଫେସବୁକ ଭଳି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। କିଛି ୟୁଜର୍ସ ଶ୍ରୀନିବାସଙ୍କୁ ସରକାର ଟ୍ରେନିଂ ଦେବା ଦରକାର ଥିବା ମଧ୍ୟ କହିଛନ୍ତି।

Share