ଭାରତରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଲା

ନୂଆଦିଲ୍ଲୀ,୨୯ା୩: ଭାରତରେ ବିଭିନ୍ନ କଟକଣା ସତ୍ତ୍ୱେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଭାରତରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୧୦୦୩ରେ ପହଞ୍ଚିଛି। ଗତ ଦୁଇଦିନରେ ସଂକ୍ରମିତଙ୍କ ସଂଖ୍ୟା ୨୦୦ରୁ ଉର୍ଦ୍ଧ୍ୱ ହୋଇଥିବା ଜଣାପଡିଛି। ସଂକ୍ରମଣକୁ ରୋକିବା ଲାଗି ବିଭିନ୍ନ ରାଜ୍ୟକୁ ସତର୍କ କରାଯିବା ସହ ଅଧିକ ପରୀକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି। ପ୍ରତି ରାଜ୍ୟରେ ହସ୍ପିଟାଲ ନିର୍ମାଣ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିଲାଗି ୧୭ ରାଜ୍ୟରେ କାମ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ରର ଆଲୋଚନା ଜାରି ରହିଛି। ଥଣ୍ଡା, ଜ୍ୱର ଓ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ସମସ୍ତ ବ୍ୟକ୍ତିଙ୍କ ପରୀକ୍ଷା କରାଯାଉଛି। ତୃଣମୂଳ ସ୍ତରରୁ ଲୋକେ ସଚେତନ ହେଲେ ଓ ସତର୍କ ରହିଲେ କରୋନା ମହାମାରୀକୁ ରୋକାଯାଇ ପାରିବ ବୋଲି ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି।

Share