Categories: ଜାତୀୟ

ଭାରତରେ ସେନା ସବୁଠୁ ବିଶ୍ୱସ୍ତ

ନୂଆଦିଲ୍ଲୀ,୧୯ା୯(ଆଇଏଏନ୍‌ଏସ୍‌): ଭାରତର ସହରାଞ୍ଚଳରେ ବସବାସ କରୁଥିବା ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ଦେଶର ସଶସ୍ତ୍ର ବାହିନୀ ଉପରେ ସର୍ବାଧିକ ଭରସା ରଖୁଥିବା କହିଛନ୍ତି। ଅନ୍ୟପକ୍ଷରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜନେତାଙ୍କ ପ୍ରତି ସଂଶୟ ପ୍ରକାଶ କରିଥିବା ଏକ ସର୍ଭେରୁ ଜଣାପଡ଼ିଛି। ବିଶ୍ୱସନୀୟତା ପେସା ସର୍ଭେରେ ବୈଜ୍ଞାନିକ ଓ ଶିକ୍ଷକ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ବଜାର ଗବେଷଣା ସଂସ୍ଥା ଇପ୍‌ସୋସ୍‌ ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ରାଜନେତା ସବୁଠୁ ଭରସାହୀନ ପେସା ବୋଲି ସହରାଞ୍ଚଳର ୫୯ ପ୍ରତିଶତ ଲୋକ ମତ ଦେଇଥିଲେ। ଏହା ପଛକୁ ମନ୍ତ୍ରୀ ଓ ବିଜ୍ଞାପନ କାର୍ଯ୍ୟନିର୍ବାହୀ ରହିଛନ୍ତି। ୫୨ ପ୍ରତିଶତଙ୍କର ମନ୍ତ୍ରୀଙ୍କ ଉପରେ ଭରସା ନ ଥିବାବେଳେ ୪୧ ପ୍ରତିଶତଙ୍କର ବିଜ୍ଞାପନ ସହ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଭରସା ନାହିଁ। ବଳିଦାନ ମୂଲ୍ୟବୋଧ, ପ୍ରତିବଦ୍ଧତା ଏବଂ ଶୃଙ୍ଖଳା ଇତ୍ୟାଦି ଦୃଷ୍ଟିରୁ ସଶସ୍ତ୍ର ବଳ ହେଉଛି ଉତ୍ସର୍ଗୀକୃତ ବାହିନୀ ବୋଲି ଇପ୍‌ସୋସ୍‌ ଇଣ୍ଡିଆର କଣ୍ଟ୍ରି ସର୍ଭିସ ଲାଇନ ଗ୍ରୁପ୍‌ ଲିଡର ପାରିଜାତ ଚକ୍ରବତର୍ତ୍ତୀ କହିଛନ୍ତି। ସେହିପରି ବୈଜ୍ଞାନିକ ଓ ଶିକ୍ଷକ ବିଶ୍ୱସନୀୟ ପେସା, ଯାହାଙ୍କର ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଅନ୍ୟପକ୍ଷରେ ବ୍ୟବସ୍ଥାକୁ ସ୍ବଚ୍ଛ କରିବା ଲାଗି ଉଦ୍ୟମ ସତ୍ତ୍ୱେ ରାଜନେତାମାନେ ଅଧିକାଂଶଙ୍କ ଭରସା ଜିତିପାରି ନାହାନ୍ତି। ସେହିପରି ବିଜ୍ଞାପନ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ମଜାଦାର ଲେଖା ଓ ସୃଜନଶୀଳତା ସତ୍ତ୍ୱେ ସେମାନଙ୍କ ଉପରେ ଅନେକ ଭରସା କରି ନ ଥାନ୍ତି ବୋଲି ଚକ୍ରବର୍ତ୍ତୀ କହିଛନ୍ତି। ବିଶ୍ୱର ବିଶ୍ୱସନୀୟତା ସୂଚକାଙ୍କରେ ଚାଇନା ପରେ ଭାରତର ସ୍ଥାନ ଦ୍ୱିତୀୟରେ ରହିଛି। ସାରା ବିଶ୍ୱରେ ବୈଜ୍ଞାନିକ ସବୁଠୁ ବିଶ୍ୱସ୍ତ ହୋଇଥିବାବେଳେ ଦ୍ୱିତୀୟରେ ଡାକ୍ତର ଓ ତୃତୀୟରେ ଶିକ୍ଷକ ସର୍ବାପେକ୍ଷା ବିଶ୍ୱସନୀୟ ପେସା ମାନ୍ୟତା ହାସଲ କରିଛି।

Share