Categories: ଖେଳ

ଭାରତରେ ହେବ ୨୦୨୨ ଏଏଫ୍‌ସି ମହିଳା ଏସିଆନ୍‌ କପ

କୁଆଲାଲମ୍ପୁର,୧୯।୨(ପି.ଟି.)- ଭାରତରେ ୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଦେଶରେ ମହିଳା ଫୁଟବଲର ପ୍ରସାର କରିବା ପାଇଁ ଏହି ଇଭେଣ୍ଟର ଆୟୋଜନ ଅଧିକାର ବୁଧବାର ଭାରତକୁ ଦିଆଯାଇଛି। ଏସିଆନ ଫୁଟବଲ କନଫେଡେରେଶନର ମହିଳା କମିଟି ଏହି ଅଧିକାର ପ୍ରଦାନ କରିଛି। ଟୁର୍ନାମେଣ୍ଟ ପାଇଁ ଭାରତ ବ୍ୟତୀତ ଚାଇନିଜ ତାଇପେ ଓ ଉଜବେକିସ୍ତାନ ମଧ୍ୟ ବିଡ୍‌ ଦାଖଲ କରିଥିଲେ। କିନ୍ତୁ ଚଳିତବର୍ଷ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ଆୟୋଜନ କରିବାକୁ ଥିବା ଭାରତରେ ଉନ୍ନତମାନର ଭିତ୍ତିଭୂମି ରହିଛି। ଭାରତ ପକ୍ଷରୁ ଡି. ଓ୍ବାଇ. ପାଟିଲ ଷ୍ଟାଡିୟମ, ଟ୍ରାନ୍ସ ଷ୍ଟାଡିଆ ଏରିନା ଓ ଫାଟୋର୍ଡା ଷ୍ଟାଡିୟମକୁ ଭେନ୍ୟୁ ରୂପେ ଦାଖଲ କରାଯାଇଥିଲା। ଏହି ସମସ୍ତ ଗ୍ରାଉଣ୍ଡରେ ପୂର୍ବରୁ ଫିଫା ଟୁର୍ନାମେଣ୍ଟ ଖେଳାଯାଇସାରିଥିବା ଏଏଫ୍‌ସି ପକ୍ଷରୁ କୁହାଯାଇଛି। ଏଏଫ୍‌ସି ମହିଳା କମିଟି ଅଧ୍ୟକ୍ଷ ମହଫୁଜା ଅଖତର କିରୋନ କହିଛନ୍ତି, ଟୁର୍ନାମେଣ୍ଟକୁ ଆର୍ଥିକ ରୂପେ ସଫଳ କରିବା ପାଇଁ ଭାରତ ପକ୍ଷରୁ ଭଲ ପ୍ରସ୍ତାବ ଦିଆଯାଇଥିଲା। ଭାରତ ମହିଳା ଫୁଟବଲର ଉନ୍ନତି ଦିଗରେ କାର୍ଯ୍ୟ କରୁଛି। କମିଟି ଏଏଫ୍‌ସି ମହିଳା ଏସିଆନ୍‌ କପ୍‌ ଟୁର୍ନାମେଣ୍ଟରେ ଅଂଶଗ୍ରହଣକାରୀ ଦଳ ସଂଖ୍ୟା ୮ରୁ ୧୨କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ସମସ୍ତ ଦଳକୁ ୩ ଗ୍ରୁପ୍‌ରେ ଭାଗ କରାଯିବ ଏବଂ ପ୍ରତ୍ୟେକ ଦଳ ୩ଟି ଲେଖାଏ ଲିଗ୍‌ ମ୍ୟାଚ୍‌ ଖେଳିବେ। ପରେ ନକ୍‌ଆଉଟ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ। ଅତିକମ୍‌ରେ ୧୭ ଦିନ ଧରି ପ୍ରତିଯୋଗିତା ଚାଲିବ। ୨୦୨୩ ଫିଫା ମହିଳା ବିଶ୍ୱକପ୍‌ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ଏଏଫ୍‌ସି ପ୍ଲେଅଫ୍‌ ମ୍ୟାଚ୍‌ ଆୟୋଜନ କରାଯିବ। ଇଭେଣ୍ଟଟି ସମ୍ଭବତଃ ଅକ୍ଟୋବର ଶେଷ ସପ୍ତାହରୁ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଖେଳାଯାଇପାରେ।

Share