Categories: ଜାତୀୟ

ଭାରତରେ ୧୦୮ କରୋନା ରୋଗୀ

ନୂଆଦିଲ୍ଲୀ,୧୬।୩(ପି.ଟି.): ମହାରାଷ୍ଟ୍ରରେ ୧୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚତ୍ଛି। ମହାରାଷ୍ଟ୍ରରେ ସର୍ବାଧିକ ୩୨ କରୋନା ରୋଗୀ ଥିବା ଜଣାପଡିଛି। ଦିଲ୍ଲୀ ଓ କର୍ନାଟକରେ ଦୁଇଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୭ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୧୧, କର୍ନାଟକରେ ୬, ଲଦାଖରେ ୩, ଜମ୍ମୁ-କଶ୍ମୀରରେ ୨ ଏବଂ ତେଲଙ୍ଗାନାରେ ୩ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ରାଜସ୍ଥାନରେ ୨ ଜଣ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପଞ୍ଜାବରେ ଜଣେ ଲେଖାଏ ସଂକ୍ରମିତ ଥିବା ଜଣାପଡିଛି। କେରଳରେ ଚିହ୍ନଟ ହୋଇଥିବା ୨୨ ସଂକ୍ରମିତଙ୍କ ମଧ୍ୟରୁ ୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୬ ଇଟାଲୀୟ ଓ ଜଣେ କାନାଡା ପର୍ଯ୍ୟଟକ ଅଛନ୍ତି। କରୋନାକୁ ନେଇ ଭୟ ନ କରିବାକୁ ସରକାର ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କୋଭିଡ-୧୯କୁ ମହାମାରୀ ଘୋଷଣା କରିଥିବାରୁ ପ୍ରତିଷେଧକ ବ୍ୟବସ୍ଥାକୁ ବଢ଼ାଇଦିଆଯାଇଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୪୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରଖାଯାଇ ଚିକିତ୍ସା କରାଯାଉଛି। ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସର୍ବାଧିକ ସଂକ୍ରମିତ ଦେଶ ଇଟାଲୀ ଓ ଇରାନରୁ ୪୫୦ରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ରବିବାର ଫେରାଇ ଅଣାଯାଇଛି। ଇଟାଲୀର ମିଲାନରୁ ଫେରିଥିବା ୨୧୮ ଜଣଙ୍କୁ ଆଇଟିବିପି କ୍ୱାରାଣ୍ଟାଇନ କେନ୍ଦ୍ରରେ ରଖାଯାଇଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରୀଛାତ୍ର। ସେହିପରି ଇରାନରୁ ଫେରିଥିବା ୨୩୦ ଜଣଙ୍କୁ ଜୟସାଲମେରସ୍ଥିତ ସେନା ଚିକିତ୍ସା କେନ୍ଦ୍ରରେ କ୍ୱାରାଣ୍ଟାଇନରେ ରଖାଯାଇଛି।

Share