ଭାରତରେ ୧୧ହଜାରରୁ ଊର୍ଦ୍ଧ୍ୱ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫।୪: ଦେଶରେ ଲକ୍‌ଡାଉନ୍‌ର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାରରୁ ଉର୍ଦ୍ଧ୍ୱ ଟପିଛି। ଭାରତରେ ଏପର୍ଯ୍ୟନ୍ତ କରୋନାରେ ସଂକ୍ରମିତ ହୋଇ ୩୭୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୦୦ରୁ ଊର୍ଦ୍ଧ୍ୱ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ ବୁଧବାର ସୂଚନା ଦେଇଛନ୍ତି। ଏଥିସହ କୋଭିଡ-୧୯କୁ ନେଇ ରାଜ୍ୟରେ ପ୍ରଥମ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ଜିଲାଗୁଡ଼ିକୁ ହଟ୍‌ସ୍ପଟ, ନନ୍‌-ହଟ୍‌ସ୍ପଟ ଓ ଗ୍ରୀନ ଜୋନ୍‌ ଅଞ୍ଚଳରେ ବଣ୍ଟନ କରିଛନ୍ତି। ଦେଶର ମୋଟ ୧୭୦ଟି କରୋନା ହଟ୍‌ସ୍ପଟ ଜିଲା ଚିହ୍ନଟ କରାଯାଇଥିବା ବେଳେ ୨୭୦ଟି ଜିଲାକୁ ନନ୍‌-ହଟ୍‌ସ୍ପଟ ତାଲିକାରେ ସାମିଲ କରାଯାଇଛି। ହଟ୍‌ସ୍ପଟ ଜିଲା ହେଉଛି ଏଠାରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେଇଛନ୍ତି ଏବଂ ଆଗକୁ ସଂକ୍ରମଣ ହେବାର ଭୟ ମଧ୍ୟ ରହିଛି। ନନ୍‌-ହଟସ୍ପଟରେ କରୋନା ରୋଗୀ ଅଛନ୍ତି, ହେଲେ ଏମାନଙ୍କ ସଂଖ୍ୟା ବହୁତ କମ୍‌ ଓ ନୂଆ ରୋଗୀ ମଧ୍ୟ ବହୁତ କମ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଗ୍ରୀନ ଜୋନ୍‌ରରେ ଏପର୍ଯ୍ୟନ୍ତ କୌଣସି ସଂକ୍ରମିତ ରୋଗୀ ଚିହ୍ନଟ ହୋଇନାହାନ୍ତି ଏବଂ ସଂକ୍ରମିତ ହେବାର ଆଶଙ୍କା କମ୍‌ ରହିଛି ବୋଲି ଳଭ୍‌ ଅଗ୍ରଓ୍ବାଲ କହିଛନ୍ତି। ଅପରପକ୍ଷେ ବୁଧବାର କ୍ୟାବିନେଟ ସଚିବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ, ଡିଜିପି, ସ୍ବାସ୍ଥ୍ୟ ସଚିବ, ଜିଲାପାଳ, ଏସ୍‌ପି, ପୌରପାଳିକା କମିଶନର ଓ ସିଏମ୍‌ଓମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏଥିରେ ହଟସ୍ପଟରେ କଣ୍ଟେନମେଣ୍ଟ ଷ୍ଟ୍ରାଟେଜୀ କେମିତି କାର୍ଯ୍ୟକାରୀ ହେଉଛି ସେନେଇ ଆଲୋଚନା ହୋଇଥିଲା। କଣ୍ଟେନମେଣ୍ଟ ଷ୍ଟ୍ରାଟେଜୀ ଅନୁଯାୟୀ, ସଂକ୍ରମିତ ଅଞ୍ଚଳରେ ଏକ ସ୍ବତନ୍ତ୍ର ଟିମ ଘରଘର ବୁଲି ଆକ୍ଟିଭ ମାମାଲାକୁ ଠାବ କରିବେ ଏବଂ ଏହି ଅଞ୍ଚଳରେ ରହୁଥିବା ସମସ୍ତ ଲୋକଙ୍କର ନମୁନା ପରୀକ୍ଷା କରାଯିବ।

Share