ନୂଆଦିଲ୍ଲୀ, ୩୦ା୩ (ପି.ଟି.)-କୋଭିଡ୍-୧୯ ମହାମାରୀ ବ୍ୟାପିବା ଆଶଙ୍କାରେ ଅଷ୍ଟ୍ରେଲିଆ ଏହାର ସୀମାକୁ ୬ମାସ ପାଇଁ ସିଲ୍ କରିଦେଇଛି। ଏହାଦ୍ୱାରା ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ଟୁର୍ ପ୍ରଭାବିତ ହେବା ସମ୍ଭାବନା ଦେଖା ଦେଇଛି। କାର୍ଯ୍ୟସୂଚୀ ଅନୁସାରେ ଅକ୍ଟୋବରରେ ଏକ ଟି୨୦ ସିରିଜ ସହ ଭାରତର ଅଷ୍ଟ୍ରେଲିଆ ଟୁର୍ ଆରମ୍ଭ ହୋଇ ଟେଷ୍ଟ ସିରିଜ ସହ ଡିସେମ୍ବରରେ ଶେଷ ହେବ। ସିରିଜ ମଧ୍ୟରେ ଅକ୍ଟୋବର ୧୮ରୁ ଟି୨୦ ବିଶ୍ୱକପ୍ ହେବାର କାର୍ଯ୍ୟକ୍ରମ ରହିଛି। ମାତ୍ର ବର୍ତ୍ତମାନ ସମଗ୍ର ବିଶ୍ୱରେ ସ୍ବାସ୍ଥ୍ୟଗତ ସଂକଟ ଦେଖା ଦେଇଥିବାରୁ ଏହି ଇଭେଣ୍ଟର ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି। ଅଷ୍ଟ୍ରେଲିଆରେ କରୋନା ଭାଇରସ୍ ପଜିଟିଭଙ୍କ ସଂଖ୍ୟା ୨୦୦୦ରୁ ଅଧିକ ହୋଇଥିବାବେଳେ ୧୬ଜଣଙ୍କର ମୃତ୍ୟୁ ଘଟିସାରିଲାଣି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ବିକଳ୍ପ ଯୋଜନା ଦିଗରେ ଧ୍ୟାନଦେବାକୁ ପଡ଼ିବ। ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ସମ୍ପର୍କରେ ବିସିସିଆଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରି ନାହିଁ। ଏହାପଛକୁ ପଛ ଶ୍ରୀଲଙ୍କା (ଦିନିକିଆ ଓ ଟି୨୦), ଜିମ୍ବାଓ୍ବେ, ଏସିଆ କପ୍ (ଟି୨୦) ଏବଂ ଇଂଲଣ୍ଡ ବିପକ୍ଷରେ ଏକ ହ୍ବାଇଟ୍ ବଲ୍ ସିରିଜ ରହିଛି। ଏଗୁଡ଼ିକ ସମ୍ପର୍କରେ ମଧ୍ୟ କିଛି ନିଷ୍ପତ୍ତି ନେବାକୁ ପଡ଼ିବ।