Categories: ଫୁରସତ

ଭାରତର ଏହି ନଦୀ ମଧ୍ୟରେ ରହିଛି ହଜାର ହଜାର ଶିବଲିଙ୍ଗ

ପୃଥିବୀରେ ଅନେକ ସ୍ଥାନ ଅଛି, ଯାହାର ରହସ୍ୟ ଜାଣିବା ବହୁ କଷ୍ଟକର। ଭାରତରେ ଏପରି ସ୍ଥାନର ଅଭାବ ନାହିଁ। କର୍ନାଟକରେ ଏମିତି ଏକ ସ୍ଥାନ ଅଛି, ଯାହା ଧର୍ମ ସହିତ ଜଡ଼ିତ। ଏଠାରେ ହଜାର ହଜାର ଶିବଲିଙ୍ଗ ନଦୀ ମଧ୍ୟରେ ଦେଖିବାକୁ ମିଳିଥାଏ। ଭଗବାନ ଶିବ ଭକ୍ତମାନଙ୍କ ପାଇଁ ଏହି ସ୍ଥାନ ରହସ୍ୟଠାରୁ କମ୍‌ ନୁହେଁ। ଏହି ପବିତ୍ର ସ୍ଥାନକୁ ସହସ୍ତ୍ରଲିଙ୍ଗ କୁହାଯାଏ। ଯାହା କର୍ନାଟକର ସିରସିଠାରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ଶଲମାଲା ନଦୀକୂଳରେ ଏକ ହଜାରରୁ ଅଧିକ ପ୍ରାଚୀନ ଶିବଲିଙ୍ଗ ଦେଖାଯିବା ସହିତ ପଥରରେ ଖୋଦିତ ଏକ ପ୍ରତିମୂର୍ତ୍ତି ଦେଖିବାକୁ ମିଳିଥାଏ। କୁହାଯାଏ, ନଦୀ କୂଳରେ ଥିବା ଏହି ଶିବଲିଙ୍ଗ ଏବଂ ପ୍ରତିମୂର୍ତ୍ତିକୁ ବିଜୟନଗର ସାମ୍ରାଜ୍ୟର ରାଜା ସଦାଶିବ ରାୟ ବର୍ମା ୧୬୭୮ ରୁ ୧୭୧୮ ମଧ୍ୟରେ ନିର୍ମାଣ କରିଥିଲେ। ପ୍ରତିବର୍ଷ ମହାଶିବରାତ୍ରିରେ ଏଠାରେ ଏକ ମେଳା ଆୟୋଜିତ ହୋଇଥାଏ, ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥାନ୍ତି। ଏଠାରେ ଥିବା ଶିବଲିଙ୍ଗ ଏବଂ ପଥର ଗଠନ ବର୍ଷାଋତୁରେ ନଦୀଜଳରେ ବୁଡ଼ି ରହିଥାଏ। କିନ୍ତୁ ଜଳସ୍ତର ହ୍ରାସ ପାଇଲେ ହଜାର ହଜାର ଶିବଲିଙ୍ଗ ହଠାତ୍‌ ଦେଖାଯାଇଥା’ନ୍ତି। ଏହି ଦୃଶ୍ୟ ବାସ୍ତବରେ ରହସ୍ୟଜନକ।

Share