Categories: ଖେଳ

ଭାରତର କୋରିଆ ବ୍ୟାଡମିଣ୍ଟନ୍‌ କୋଚ୍‌ କିମ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୪।୯(ପି.ଟି.)- ଭାରତୀୟ ସିଙ୍ଗଲ୍ସ ମହିଳା ବ୍ୟାଡମିଣ୍ଟନ କୋଚ୍‌ ତଥା ପି.ଭି. ସିନ୍ଧୁଙ୍କ ବିଦେଶୀ କୋଚ୍‌ କିମ୍‌ ଜି ହ୍ୟୁନ୍‌ ଇସ୍ତଫା ଦେଇଛନ୍ତି। ଗତ ବିଶ୍ୱ ଚାମ୍ପିୟନଶିପ୍‌ରେ ସିନ୍ଧୁ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଓ ଏହି ସଫଳତାରେ କିମ୍‌ଙ୍କ ଯଥେଷ୍ଟ ଅବଦାନ ଥିଲା। ଟୋକିଓ ଅଲିମ୍ପିକ୍ସ ଆଉ ଗୋଟିଏ ବର୍ଷଠାରୁ କମ୍‌ ସମୟ ବାକି ଥିବା ବେଳେ କିମ୍‌ କୋଚ୍‌ ପଦ ଛାଡ଼ିବା ଭାରତ ପାଇଁ ଏକ ଝଟ୍‌କା ସଦୃଶ ହୋଇଛି।
୪୫ ବର୍ଷୀୟା କିମ୍‌ ସ୍ବାମୀ ରିଚି ମାରଙ୍କ ଚିକତ୍ସା ତଥା ଦେଖାଶୁଣା ପାଇଁ ହଠାତ୍‌ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲେ। କିଛି ଦିନ ତଳେ ରିଚି ହୃଦ୍‌ଘାତର ଶିକାର ହୋଇଥିଲେ। ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଏଆଇ) କିମ୍‌ଙ୍କୁ କୋଚ୍‌ ପଦରେ ନିଯୁକ୍ତି ଦେଇଥିଲା। କିଛିଦିନ ତଳେ ସୁଇଜରଲାଣ୍ଡର ବାସେଲଠାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ କିମ୍‌ଙ୍କ ତତ୍ତ୍ୱାବଧାନରେ ସିନ୍ଧୁ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ସ୍ବାମୀ ଅସୁସ୍ଥ ଥିବାରୁ କିମ୍‌ ପଦ ଛାଡିଛନ୍ତି ଓ ଏବେ ସେ ତାଙ୍କର ଦେଖାଶୁଣା କରିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ହଠାତ୍‌ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ। ସମ୍ପୂର୍ଣ୍ଣ ଭଲ ହେବା ପାଇଁ ରିଚିଙ୍କୁ ୪ରୁ ୬ ମାସ ସମୟ ଲାଗିବ ବୋଲି ଭାରତୀୟ ଜାତୀୟ କୋଚ୍‌ ପୁଲେଲା ଗୋପୀଚାନ୍ଦ କହିଛନ୍ତି।
ଏଭଳି ସ୍ଥିତିରେ କିମ୍‌ କୋଚ୍‌ ପଦରୁ ଇସ୍ତଫା ଦେବା ଦୁର୍ଭାଗ୍ୟଜନକ ବୋଲି ସିନ୍ଧୁ କହିଛନ୍ତି। ତାଙ୍କ ଅନୁପସ୍ଥିତିରେ ଗୋପୀ ସାର ଓ ବିଏଆଇ ସବୁ ଦାୟିତ୍ୱ ହାତକୁ ନେଇ କାର୍ଯ୍ୟକରିବେ ବୋଲି ସିନ୍ଧୁ ଆଶାପ୍ରକାଶ କରିଛନ୍ତି। କିମ୍‌ ତୃତୀୟ ବିଦେଶୀ କୋଚ୍‌ ଭାବେ ନିଯୁକ୍ତ ହୋଇଥିଲେ। ତେବେ ସବୁ ବିଦେଶୀ କୋଚ୍‌ କାର୍ଯ୍ୟକାଳ ପୂରା କରି ନାହାନ୍ତି। ଏହା ପୂର୍ବରୁ ଜଣାଶୁଣା ଇଣ୍ଡୋନେସିଆ କୋଚ୍‌ ମୁଲ୍ୟୋ ହାଣ୍ଡୋୟୋ ବ୍ୟକ୍ତିଗତ କାରଣ ଦର୍ଶାଇ ୨୦୧୭ରେ କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ସିଙ୍ଗାପୁର ଦଳ ସହ ଯୋଗ ଦେଇଥିଲେ। ସେହିପରି ମାଲେସିଆର ଟାନ କିମ୍‌ ହର ଚଳିତ ବର୍ଷ ପ୍ରାରମ୍ଭରେ କୋଚ୍‌ ପଦରୁ ଇସ୍ଥଫା ଦେଇଥିଲେ। କାର୍ଯ୍ୟକାଳ ପୂରିବାର ୧୮ ବର୍ଷ ପୂର୍ବରୁ ସେ ପଦ ଛାଡିଥିଲେ। ଏବେ ଜଣେ ନୂଆ କୋଚ୍‌ ନିଯୁକ୍ତ କରିବା ପାଇଁ ବିଏଆଇ ତତ୍ପରତା ପ୍ରକାଶ କରିଛି। ଟୋକିଓ ଅଲିମ୍ପିକ୍ସ ଆଉ ୧୦ ମାସ ବାକି ରହିଛି। ପୁଣି ଯୋଗ୍ୟତା ପର୍ଯ୍ୟାୟ ଚାଲୁ ରହିଥିବାବେଳେ ନୂଆ କୋଚ୍‌ ନିଯୁକ୍ତ କରବା ନିହାତି ଜରୁରୀ ହୋଇପଡିଛି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆମେ ପ୍ରୟାସ କରିବୁ ବୋଲି ଗୋପୀଚାନ୍ଦ କହିଛନ୍ତି।

Share