Categories: ଖେଳ

ଭାରତର କ୍ଲିନ୍‌ ସୁଇପ୍‌: ଦକ୍ଷିଣ ଆଫ୍ରିକାର ଇନିଂସ ପରାଜୟ; ରୋହିତ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଓ ସିରିଜ

ରାଞ୍ଚି,୨୨।୧୦(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ଆଉ ୨ ଉଇକେଟ ହାସଲ କରି ଶେଷରେ ବିଜୟର ଔପଚାରିକତା ପୂରଣ କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭାରତ ମଙ୍ଗଳବାର ଚତୁର୍ଥ ଦିବସରେ ଏକ ଇନିଂସ ୨୦୨ ରନରେ ବିଜୟ ହାସଲ କରି ୩-୦ରେ କ୍ଲିନ୍‌ ସୁଇପ୍‌ କରିଛି। ଏଥିସହିତ ବିରାଟ କୋହଲି ଅଧିନାୟକ ହିସାବରେ ୧୧ତମ ସିରିଜ ବିଜୟ ହାସଲ କରିଛନ୍ତି ଓ ତାଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ଲିନ୍‌ ସୁଇପ୍‌ କରିଛି। ଘରୋଇ ମାଟିରେ ଭାରତ ଏହା କ୍ରମାଗତ ୧୧ତମ ସିରିଜ ବିଜୟ ସାବ୍ୟସ୍ତ ହୋଇଛି। ସାରା ସିରିଜରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ଉପରେ ସବୁ ବିଭାଗରେ ଆଧିପତ୍ୟ ବିସ୍ତାର କରିବାରେ ସଫଳ ହୋଇଛି। ୨୧୨ ରନର ଦ୍ୱିଶତକୀୟ ପାଳି ଖେଳିଥିବା ଭାରତୀୟ ଓପନର ରୋହିତ ଶର୍ମା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ସେହିପରି ସାରା ସିରିଜରେ ସେ ସ୍ଥିର ପ୍ରଦର୍ଶନ କରି ପ୍ଲେୟାର ଅଫ୍‌ ଦି ସିରିଜ ମଧ୍ୟ ବିବେଚିତ ହୋଇଛନ୍ତି। ରୋହିତ ଓପନର ଭାବେ ନୂଆ ଭୂମିକାରେ ଅବତୀର୍ଣ୍ଣ ହୋଇ ବେଶ୍‌ ସଫଳ ହୋଇଛନ୍ତି। ସିରିଜ୍‌ରେ ସେ ମୋଟ ଉପରେ ୫୨୯ ରନ ସଂଗ୍ରହ କରିଛନ୍ତି। ରୋହିତଙ୍କୁ ଓପନର ହିସାବରେ ଖେଳାଇବାର ଏକ୍ସପେରିମେଣ୍ଟ ଶେଷରେ କାମ ଦେଇଛି। ଅନ୍ୟତମ ଓପନର ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ଗୋଟିଏ ଦ୍ୱିଶତକ ଓ ଗୋଟିଏ ଶତକ ସହ ସଫଳ ପ୍ରଦର୍ଶନ କରିଛନ୍ତି। ଦ୍ରୁତ ବୋଲର ମହମ୍ମଦ ସାମି ୧୩ ଉଇକେଟ ନେଇ ସିରିଜ ବିଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ସିରିଜରେ ରବୀନ୍ଦ୍ର ଜାଡେଜା ୧୩, ରବିଚନ୍ଦ୍ରନ ଅଶ୍ୱିନ ୧୫, ଉମେଶ ଯାଦବ ୧୧ ଓ ଇଶାନ୍ତ ଶର୍ମା ୨ଟି ଉଇକେଟ ଅକ୍ତିଆର କରିଛନ୍ତି।

ଘରୋଇ ପରିବେଶରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଭାରତର ଏହା ଷଷ୍ଠ କ୍ଲିନ୍‌ ସୁଇପ୍‌ ସାବ୍ୟସ୍ତ ହୋଇଛି। ପୂର୍ବରୁ ଭାରତ ପ୍ରଥମ ଟେଷ୍ଟରେ ୨୦୩ ରନରେ ବିଜୟୀ ହୋଇଥିଲା। ସେହିପରି ଦ୍ୱିତୀୟ ଟେଷ୍ଟକୁ ଭାରତ ଏକ ଇନିଂସ ଓ ୧୩୭ ରନରେ ହାତେଇ ନେଇଥିଲା। ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତୀୟ ବୋଲିଂ ବିଭାଗ ଜବରଦସ୍ତ ପ୍ରଦର୍ଶନ କରିଛି।

Share