Categories: ଜାତୀୟ

ଭାରତର ଗ୍ୟାସ ଆଧାରିତ ଅର୍ଥନୀତି, ଅଷ୍ଟ୍ରେଲିଆ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା: ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ୨୯।୮: ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ରୂପାନ୍ତରିତ କରିବା ଲାଗି ଅଷ୍ଟ୍ରେଲିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଅଷ୍ଟ୍ରେଲିଆରୁ ଭାରତକୁ ଏଲ୍‌ଏନ୍‌ଜି ଆମଦାନୀ ବଢିବାର ସମ୍ଭାବନା ସମ୍ପର୍କରେ ଆଲୋଚନା କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଅବସରରେ ସେଠାକାର ସମ୍ବଳ ମନ୍ତ୍ରୀ ମାଥ୍ୟୁ କାନାଭାନଙ୍କ ସହ ଧର୍ମେନ୍ଦ୍ର ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ଭାରତ ସହ ସମ୍ପର୍କ ମଜବୁତ କରିବା ଲାଗି ମାଥ୍ୟୁ କାନାଭାନ ସହମତି ପ୍ରକାଶ କରିଛନ୍ତି। ଭାରତରେ ଅଧିକରୁ ଅଧିକ ନିବେଶ କରିବା ଲାଗି ପ୍ରଧାନ ଏହି ଅବସରରେ ସେଠାକାର ଉଦ୍ୟୋଗୀଙ୍କୁ ଆହ୍ବାନ ଜଣାଇଛନ୍ତି।
ଏହି ଅବସରରେ ପ୍ରଧାନ କହିଛନ୍ତି, ଭାରତୀୟ ଉପଭୋକ୍ତା ମୂଲ୍ୟ ସମ୍ବେଦନଶୀଳ। ଅଷ୍ଟ୍ରେଲିଆରୁ ଏଲଏନ୍‌ଜି ଆମଦାନୀ ଏ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କୋଇଲା ଇନ୍ଧନ ଉପରେ ଗୁରୁତ୍ୱାରୋପ କରିବା ସହ ଏ କ୍ଷେତ୍ରରେ ଅଷ୍ଟ୍ରେଲିଆ ଅଧିକ ସହଯୋଗ କରୁ ବୋଲି ଧର୍ମେନ୍ଦ୍ର ମତ ରଖିଛନ୍ତି। ଏହାବାଦ କୋଇଲା, ଖଣିଜ, ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ କ୍ଷେତ୍ରରେ ଉଭୟ ଦେଶର ସମନ୍ବୟ ଆବଶ୍ୟକତା ରହିଛି। ଏହିପରି ଅଷ୍ଟ୍ରେଲିଆର ମେଟାଲର୍ଜି କୋଇଲା ଆମଦାନୀ କ୍ଷେତ୍ରରେ ଭାରତ ସର୍ବବୃହତ ଦେଶ। ଏ କ୍ଷେତ୍ରରେ ଭିନ୍ନ ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତି, ଭାରତରେ ଶକ୍ତି ମିଶ୍ରଣ ବିକାଶ ଦ୍ୱାରା ଉଭୟ ଦେଶର ଅର୍ଥବ୍ୟବସ୍ଥା ଉପରେ ଭଲ ପ୍ରଭାବ ପକାଇବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

Share