ବିଭୁ ପ୍ରସାଦ ମହାପାତ୍ର
‘No man ever was glorious, who was not labourious.’ ଯୁକ୍ତରାଷ୍ଟ୍ର ଆମେରିକାର ‘ଫିଲୋସଫିକାଲ ସୋସାଇଟି’ର ପ୍ରଥମ ସଭାପତି ତଥା ବିଶ୍ୱବିଖ୍ୟାତ ବୈଜ୍ଞାନିକ ବେଞ୍ଜାମିନ୍ ଫ୍ରାଙ୍କ୍ଲିନ୍, ଏଫ୍ଆର୍ଏସ୍ (୧୭୦୬-୧୭୯୦)ଙ୍କର ଏହି ଉକ୍ତିଟି ନିରାଟ ସତ୍ୟ। ପ୍ରତ୍ୟେକ ସଫଳ ମଣିଷ ଅତୀତର ଅଧ୍ୟବସାୟୀ ଅଟନ୍ତି। ଶ୍ରମ, ସାଧନା ଓ ଅଧ୍ୟବସାୟ ହିଁ ସଫଳତାର ହେତୁ। ପଠାଣି ସାମନ୍ତ ଏପରି ଜଣେ ମହାନ୍ ବ୍ୟକ୍ତି ଥିଲେ, ଯେ କି ରାତି ରାତି ଅନିଦ୍ରା ରହି ମହାକାଶୀୟ ପିଣ୍ଡଗୁଡ଼ିକର ଗତିବିଧି ଲକ୍ଷ୍ୟ କରୁଥିଲେ। ସେହି ଶ୍ରମ ଓ ରାତି ଅନିଦ୍ରାର ଫଳ ହେଉଛି ‘ସିଦ୍ଧାନ୍ତ ଦର୍ପଣ’।
ପଠାଣି ସାମନ୍ତଙ୍କ ପ୍ରକୃତ ନାମ ଚନ୍ଦ୍ରଶେଖର ସିଂହ ସାମନ୍ତ ହରିଚନ୍ଦନ ମହାପାତ୍ର। କିନ୍ତୁ ସେ ‘ସାମନ୍ତ ଚନ୍ଦ୍ରଶେଖର’ ଓ ‘ପଠାଣି ସାମନ୍ତ’ ନାମରେ ବହୁଳ ପରିଚିତ। ସେ ୧୮୩୫ ମସିହା ଡିସେମ୍ବର ୧୩ ତାରିଖରେ ଅଧୁନା ନୟାଗଡ଼ ଜିଲା ଅନ୍ତର୍ଗତ ଖଣ୍ଡପଡ଼ାରେ ଜନ୍ମଗ୍ରହଣ କରିଥିଲେ। ସେ ଦିନ ଥିଲା ପୌଷ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥି। ସେତେବେଳେ ଖଣ୍ଡପଡ଼ା ଏକ ଗଡ଼ଜାତ ଅଞ୍ଚଳ ଥିଲା। ବ୍ରିଟିଶ୍ ଶାସନାଧୀନ ଅଞ୍ଚଳ ହେଲେ ହେଁ ରାଜାରାଜୁଡ଼ା ଶାସନ ଚାଲୁଥିଲା। ସେ ରାଜବଂଶରେ ଜାତ ହୋଇଥିଲେ ହେଁ କୌଣସି କାରଣବଶତଃ ତାଙ୍କ ପରିବାର ରୋଷର ଶିକାର ହୋଇ ରାଜ ଅନୁଗ୍ରହରୁ ବଞ୍ଚତ୍ତ ହୋଇଥିଲେ। ସାମନ୍ତଙ୍କ ଜନ୍ମ ପୂର୍ବରୁ ତାଙ୍କ ଭାଇ, ଭଉଣୀ ଅତି ଅଳ୍ପ ବୟସରୁ ଶିଶୁ ଅବସ୍ଥାରେ ମରିଯାଉଥିଲେ। ସେତେବେଳେ ଯେଉଁମାନଙ୍କର ସନ୍ତାନସନ୍ତତି ସବୁ ମରିଯାଉଥିଲେ, ତାଙ୍କର ସଦ୍ୟଜାତ ସନ୍ତାନକୁ ନୀଚଜାତିର ଲୋକକୁ ବିକ୍ରି କରୁଥିଲେ କିମ୍ବା ‘ପଠାଣି’, ‘ଅପର୍ତ୍ତି’ ଆଦି ନାମକରଣ କରୁଥିଲେ। ପଠାଣି ପାରମ୍ପରିକ ଶିକ୍ଷା ଲାଭକରି ବାଲ୍ୟକାଳରୁ ସଂସ୍କୃତ, ଗଣିତ ଓ ଜ୍ୟୋତିଷଶାସ୍ତ୍ରରେ ପାରଙ୍ଗମ ହେଲେ। ଏତେ ଧୀଶକ୍ତି ଥାଇ ମଧ୍ୟ ସେ ରାଜାଙ୍କଠାରୁ କୌଣସି ସହଯୋଗ ପାଇ ନ ଥିଲେ। ସେଥିନିମନ୍ତେ କବିବର ରାଧାନାଥ ରାୟ (୧୮୪୮-୧୯୦୮) ତାଙ୍କର ‘ଦରବାର’ କାବ୍ୟରେ ରାଜାଙ୍କୁ ‘ଶବର’ ଏବଂ ସାମନ୍ତଙ୍କୁ ‘ମୋତି’ ସହ ତୁଳନା କରିଥିଲେ।
‘ମୋତି ମୂଲ କାହୁଁ ଜାଣିବ ଶବର,
ମୋତି ଫିଙ୍ଗି କରେ ଗୁଞ୍ଜାରେ ଆଦର।’
ସାମନ୍ତ ପାରମ୍ପରିକ ଯନ୍ତ୍ର ଓ ବାଉଁଶନଳୀ ତିଆରି କରି ରାତି ଉଜାଗର ରହି ଗ୍ରହ, ନକ୍ଷତ୍ରାଦିର ଗତିବିଧି ଲକ୍ଷ୍ୟ କରିବାରେ ବ୍ୟସ୍ତ ରହିଲେ। ବେଳେବେଳେ ସେ ନିକଟସ୍ଥ ପାହାଡ଼ ଉପରକୁ ଚାଲିଯାଉଥିଲେ। ତାହା ଥିଲା ତାଙ୍କ ନିମନ୍ତେ ‘Open Observatory’ (ମୁକ୍ତ ପର୍ଯ୍ୟବେକ୍ଷଣାଗାର)। ସଂସ୍କୃତରେ ବ୍ୟୁତ୍ପତ୍ତି ଥିବାରୁ ସେ ପ୍ରାଚୀନ ଖଗୋଳବିତ୍ ଆର୍ଯ୍ୟଭଟ୍ଟ, ବରାହମିହିର ଆଦିଙ୍କର କୃତି ସବୁ ପାଠ କରିବାକୁ ଲାଗିଲେ। ସେଥିରେ କିଛି ତ୍ରୁଟି ଥିବାର ଅନୁଭବ ମଧ୍ୟ କଲେ। ନିରନ୍ତର ନିରୀକ୍ଷଣ ଓ ବହୁଶ୍ରମ ସ୍ବୀକାର କରି ‘ସିଦ୍ଧାନ୍ତ ଦର୍ପଣ’ ନାମକ ଗ୍ରନ୍ଥ ରଚନା କଲେ। ସଂସ୍କୃତ ଶ୍ଳୋକରେ ଓ ଓଡ଼ିଆ ଲିପିରେ ଉକ୍ତ ଗ୍ରନ୍ଥ ରଚିତ ହୋଇଥିଲା। ଗଡ଼ଜାତ ଅଞ୍ଚଳର ଏହି ଅନାମଧେୟ ବ୍ୟକ୍ତି ଆଦୌ ପ୍ରଚାରସର୍ବସ୍ବ ନ ଥିଲେ। ଜନସାଧାରଣଙ୍କଠାରେ ଅପରିଚିତ ଥିବା ସାମନ୍ତଙ୍କ ପ୍ରତିଭାକୁ ଜାଣିପାରିଥିଲେ ଯୋଗେଶ ଚନ୍ଦ୍ର ରାୟ (୧୮୫୯-୧୯୫୬)। ରେଭେନ୍ସା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଥିବା ଯୋଗେଶ ଚନ୍ଦ୍ର ପୁରୀର ପଣ୍ଡିତ ସଭାରେ ୧୯୧୦ ମସିହାରେ ‘ବିଦ୍ୟାନିଧି’ ଉପାଧି ପାଇଥିଲେ। ସେ ପୂଜ୍ୟପୂଜାଙ୍କୁ ସମ୍ମାନ ଦେବା ଶିଖିଥିଲେ। ତାଙ୍କ ଯୋଗୁ ସାମନ୍ତ ଜନାଦୃତ ହୋଇପାରିଥିଲେ। ସେ ‘ସିଦ୍ଧାନ୍ତ ଦର୍ପଣ’ର ଭୂମିକା ଇଂଲିଶ୍ରେ ଲେଖିବାରୁ ସାମନ୍ତଙ୍କ ପ୍ରତିଭାକୁ ଇଂରେଜମାନେ ଜାଣିପାରିଲେ ଓ ୧୮୯୩ରେ ତାଙ୍କୁ ‘ମହାମହୋପାଧ୍ୟାୟ’ ଉପାଧିରେ ଭୂଷିତ କରିଥିଲେ।
କୌଣସି ଉଚ୍ଚଶିକ୍ଷା ଲାଭ ନ କରି, କେବଳ ପାରମ୍ପରିକ ଶିକ୍ଷା ବଳରେ ଦୂରବୀକ୍ଷଣ ଯନ୍ତ୍ରର ବିନା ବ୍ୟବହାରରେ ସାମନ୍ତ ନିର୍ଭୁଲ ଭାବେ ଗଣନା କରିପାରୁଥିଲେ। ସେଥିପାଇଁ ତାଙ୍କୁ ‘ଭାରତର ଟାଇକୋ ବ୍ରାହେ’ କୁହାଯାଏ। ଡେନ୍ମାର୍କର ସ୍କାନିଆରେ ଜନ୍ମଗ୍ରହଣ କରିଥିବା ବ୍ରାହେ (୧୫୪୬-୧୬୦୧) ଗ୍ରହନକ୍ଷତ୍ରର ଗତିବିଧି ଉପରେ ବହୁତ କାମ କରିଛନ୍ତି। ତାଙ୍କର ସୁଯୋଗ୍ୟ ଶିଷ୍ୟ ଥିଲେ ଜର୍ମାନୀର ଜୋହାନ୍ସ କେପ୍ଲର (୧୫୭୧-୧୬୩୦)। ସାମନ୍ତ ବାଉଁଶ ନଳୀ ସାହାଯ୍ୟରେ ପାହାଡ଼ର ଉଚ୍ଚତା ମାପି ପାରୁଥିଲେ। ତାଙ୍କର ଗଣନାକୁ ଭିତ୍ତିକରି ଓଡ଼ିଶାର ପଞ୍ଜିକା ପ୍ରସ୍ତୁତ କରାଯାଉଛି। ଏହି ଖଗୋଳ ବିଦ୍ୟା ବିଶାରଦଙ୍କୁ ‘Naked Eye Astronomer’ କୁହାଯାଏ। କବିବର ‘ଚିତ୍ରୋତ୍ପଳା ନୀରପାୟୀ’ ବୋଲି ତାଙ୍କୁ ସମ୍ବୋଧନ କରିଥିଲେ। ଓଡ଼ିଶାର ପୁରପଲ୍ଲୀରେ ପରିଚିତ ସାମନ୍ତ ପୁରୀରେ ୧୮୯୪ ମସିହାରେ ମୃତ୍ୟୁବରଣ କରିଥିଲେ। ରାଧାନାଥ ତାଙ୍କ ‘ଦରବାର’ରେ ଉଲ୍ଲେଖ କରିଥିଲେ-
”ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ,
ନର ଦେହେ ଥିବ ଯାବତ ହୃଦୟ।“
(ପଠାଣି ସାମନ୍ତଙ୍କ ଜୟନ୍ତୀ ଉପଲକ୍ଷେ)
ଭୋଗଡ଼ା, ଖୋର୍ଦ୍ଧା, ମୋ- ୮୨୭୦୦୮୩୬୫୩