Categories: ଖେଳ

ଭାରତର ଦମଦାର ବିଜୟ

ଅକ୍‌ଲାଣ୍ଡ,୨୪।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଦମଦାର ବିଜୟ ହାସଲ କରିଛି। ଘରୋଇ ଦଳ ଦ୍ୱାରା ଧାର୍ଯ୍ୟ ୨୦୩ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ଭ୍ରମଣକାରୀ ଭାରତ ଗୋଟିଏ ଓଭର ଓ ୬ ଉଇକେଟ ହାତରେ ରଖି ହାସଲ କରିନେଇଛି। ବିଜୟ ସହ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ରବିବାର ଇଡେନ ପାର୍କଠାରେ ଖେଳାଯିବ।
ଆମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୩ ରନ୍‌ କରିଥିଲା। ଦଳ ପାଇଁ କଲିନ ମୁନ୍‌ରୋ ସର୍ବାଧିକ ୫୯, ରସ ଟେଲର ୫୪*, କେନ ଓ୍ବିଲିୟମସନ ୫୧ ଓ ମାର୍ଟିନ ଗୁପ୍ଟିଲ ୩୦ ରନ୍‌ କରିଥିଲେ। ଭ୍ରମଣକାରୀ ଦଳର ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ, ଶାର୍ଦ୍ଦୁଳ ଠାକୁର ଓ ଯଶପ୍ରୀତ ବୁମରା ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ। ଜବାବରେ ଟିମ୍‌ ଇଣ୍ଡିଆ ଇନିଂସ ଆରମ୍ଭରୁ ରୋହିତ ଶର୍ମା (୭)ଙ୍କ ଉଇକେଟ ହରାଇଥିଲା। ଅନ୍ୟତମ ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ଉଇକେଟ ପାଇଁ ୯୯ ରନ୍‌ର ଭାଗୀଦାରି କରିଥିଲେ। ପରେ ଦଳ କ୍ରମାଗତ ବ୍ୟବଧାନରେ ୩ ଉଇକେଟ ହରାଇଥିଲା। ଲୋକେଶ ରାହୁଲ (୫୬), କୋହଲି (୪୫) ଓ ଦୁବେ (୧୩) ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହିଠାରୁ ଶ୍ରେୟାସ ଆୟାର ଓ ମନୀଷ ପାଣ୍ଡେଙ୍କ ଯୋଡ଼ି ଆବଶ୍ୟକ ରନ୍‌ ସଂଗ୍ରହ କରି ଦଳକୁ ବିଜୟ ଭେଟି ଦେଇଥିଲେ। ଆୟାର ୫୮ ଓ ପାଣ୍ଡେ ୧୩ ରନ୍‌ କରି ଅପରାଜିତ ଥିଲେ। ଘରୋଇ ବୋଲରଙ୍କ ମଧ୍ୟରେ ଇଶ ସୋଧି ଦୁଇଟି ଉଇକେଟ ନେଇଥିଲେ।

Share