ଭାରତର ପ୍ରମୁଖ ସମସ୍ୟା

ଆକାର ପଟେଲ
ଚଳିତ ବର୍ଷର ଦ୍ୱିତୀୟ ତ୍ରିମାସୀରେ ଭାରତର ଜିଡିପି ଅଭିବୃଦ୍ଧି ୫ ପ୍ରତିଶତକୁ ଖସିଯାଇଛି, ଯାହା ଗତ ଛଅବର୍ଷ ଭିତରେ ସର୍ବନିମ୍ନ। ନିର୍ମାଣ ଶିଳ୍ପ, ଯାହା ମେକ୍‌ ଇନ୍‌ ଇଣ୍ଡିଆର ମୁଖ୍ୟ, ତାହାର ଅଭିବୃଦ୍ଧି ୧ ପ୍ରତିଶତରୁ ତଳେ ରହିଛି। ଏହି ତ୍ରିମାସୀରେ ଆମେ ୬ ପ୍ରତିଶତ ବି ଛୁଇଁ ପାରିଲୁନି ଏବଂ ସରକାର ଯେଉଁ ସଂଶୋଧିତ ପଦ୍ଧତିରେ ଅଭିବୃଦ୍ଧି ହିସାବ କରୁଛନ୍ତି, ତାହା ତ୍ରୁଟିପୂର୍ଣ୍ଣ ବୋଲି ଖୋଦ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତାଙ୍କ ସମେତ ଅନେକେ ମନେକରୁଛନ୍ତି। ସରକାରଙ୍କ ଆଗରେ ଅନେକ ଆହ୍ବାନ ରହିଛି, ଯାହାକୁ ଆଗ ଦେଖିବାକୁ ହେବ ଏବଂ ତା’ପରେ ଏଥିରୁ ବାଟ ବାହାର କରିବାକୁ ହେବ। ଯଦି ଅଭିବୃଦ୍ଧିରେ ଉନ୍ନତି ନ ଆସେ, ତେବେ ଦାରିଦ୍ର୍ୟ ଓ ପରନିର୍ଭରଶୀଳତା ଦୂରକରିବା ଲାଗି ଭାରତ ଯେଉଁ ଆଶା ବାନ୍ଧିଛି ତାହା ମଉଳିଯିବ। ଏହା ଆମ ସମସ୍ତଙ୍କୁ ବିଚଳିତ କରୁଛି।
କିଛିଦିନ ତଳେ ଆମେ ଜାଣିବାକୁ ପାଇଥିଲୁ ଯେ ଭାରତର ବେକାରି ହାର ଗତ ୫୦ ବର୍ଷ ଭିତରେ ସର୍ବାଧିକ ରହିଛି। ଏହା ବାସ୍ତବରେ ଆହୁରି ବୃଦ୍ଧି ପାଇଲାଣି ଏବଂ ଅନୁକୂଳ ଦିଗରେ ଯିବାର କୌଣସି ଲକ୍ଷଣ ଦେଖିବାକୁ ମିଳୁନି। ଆମ ଅର୍ଥନୀତିର ଦୁରବସ୍ଥା ବିଷୟରେ ଭାବିବା ଓ ସମସ୍ୟାର ନିରାକରଣ ଲାଗି ଚିନ୍ତାକରିବା ନିମନ୍ତେ ଆମ ହାତରେ ବହୁତ କମ୍‌ ସମୟ ଅଛି। ବିଭିନ୍ନ ଜାତୀୟ ଆହ୍ବାନ ସହ ଜଳବାୟୁ ପରିବର୍ତ୍ତନ ପ୍ରଭୃତି ବହୁତ ସମସ୍ୟା ରହିଛି। ଦୁଃଖର କଥା ସରକାର ଏସବୁ ସମସ୍ୟାର ନିରାକରଣ ବିଷୟରେ ଚିନ୍ତା ନ କରି ଅନ୍ୟ ଜିନିଷ ଉପରେ ବେଶି ଗୁରୁତ୍ୱ ଦେଉଛନ୍ତି। ଏଥିରୁ ଭବିଷ୍ୟତ ଯାହା ହେବ ତାହା ଜଳ ଜଳ ଦେଖାଯାଉଛି। କାରଣ ସରକାର ଏବେ ଆସାମ, କଶ୍ମୀର ଓ ଅଯୋଧ୍ୟା ବିଷୟରେ ବେଶି ଚିନ୍ତା କରୁଛନ୍ତି। ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନ୍‌ଆର୍‌ସି) ପ୍ରକାଶ ପାଇଛି ଏବଂ ଏଥିରୁ ୧୯ ଲକ୍ଷ ଲୋକ ବାଦ୍‌ ପଡ଼ିଛନ୍ତି। ଏହି ଲୋକମାନଙ୍କୁ ଭୋଟର ପରିଚୟପତ୍ର ଥିଲେ ମଧ୍ୟ ଭୋଟଦାନର ଅଧିକାର ମିଳିବ ନାହିଁ। ଭାରତରେ ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ପରି ଭାଜପା ଏମ୍‌ପି ଅଛନ୍ତି ଯେଉଁମାନେ ଅନେକ ବର୍ଷ ହେଲା ଓକିଲାତି କରିଆସୁଛନ୍ତି ଯେ ଭାରତରେ ମୁସଲମାନମାନଙ୍କୁ ଭୋଟଦାନର ଅଧିକାର ମିଳିବା ଉଚିତ ନୁହେଁ। ଦ୍ୱିତୀୟ କଥା ହେଲା ଆସାମରେ ପୂର୍ବରୁ ପ୍ରାୟ ୧୦୦୦ ଲୋକଙ୍କୁ ଯେପରି ବିଦେଶୀ ଘୋଷଣା କରି ଜେଲରେ ରଖାଯାଇଛି, ସେହିପରି ଏହି ୧୯ ଲକ୍ଷ ଲୋକ କୌଣସି ଅପରାଧ କରି ନ ଥିଲେ ମଧ୍ୟ ସେମାନଙ୍କୁ ଜେଲରେ ଭର୍ତ୍ତି କରାଯିବ। ପରିବାରଗୁଡ଼ିକ ଅଲଗା ଅଲଗା ହୋଇଯିବେ ଏବଂ ମହିଳାମାନେ (ଝିଅ, ଭଉଣୀ, ମାଆ ଓ ସ୍ତ୍ରୀ) ପୁରୁଷଙ୍କଠାରୁ ଅଲଗା ଅଲଗା ଜେଲରେ ରହିବେ। ପରସ୍ପର ସହ ସେମାନଙ୍କର ଯୋଗାଯୋଗ ହୋଇପାରିବ ନାହିଁ। ପିଲାମାନେ ବି ଜେଲରେ ରହିବେ। ପ୍ରଥମ ୧୦୦୦ ଲୋକଙ୍କୁ ଜେଲରେ ଭର୍ତ୍ତି କରାଗଲାବେଳେ ଅବଶିଷ୍ଟ ଭାରତୀୟମାନେ ତା’ ଉପରେ ବିଶେଷ ଧ୍ୟାନ ଦେଇ ନ ଥିଲେ। କିନ୍ତୁ ଏବେ ୧୯ ଲକ୍ଷ ଲୋକଙ୍କ ଦୁର୍ଗତି ଦେଶବାସୀଙ୍କ ନଜରକୁ ଏଡ଼ାଇ ଯାଇପାରିବ ନାହିଁ।
କଶ୍ମୀରରେ ସମଗ୍ର ଜନସଂଖ୍ୟାକୁ ଜେଲରେ ଭରିବା ଲାଗି ଆମେ ନିଷ୍ପତ୍ତି ନେବାର ଇତିମଧ୍ୟରେ ଏକମାସ ବିତିବାକୁ ବସିଲାଣି। ସ୍ଥାୟୀ କର୍ଫ୍ୟୁ ଜାରି କରି, କୌଣସି ଯୋଗାଯୋଗ ବା ପ୍ରତିବାଦ କରିବାର ସୁଯୋଗ ନ ଦେଇ ଆମେ ଶତ୍ରୁମାନଙ୍କୁ ଜଣାଇଦେବାକୁ ଚାହୁଁ ଯେ ଆମେ ହେଉଛୁ ଏକ ଦଖଲକାରୀ ଶକ୍ତି। ଆମେ ପ୍ରତ୍ୟେକ ଲୋକଙ୍କୁ ଏପରିକି ଭାରତକୁ ଏକଦା ସମର୍ଥନ କରୁଥିବା ଲୋକଙ୍କୁ ବି ନଜରବନ୍ଦୀରେ ରଖିବାର କାରଣ ହେଉଛି, ଆମେ ଭୟ କରୁଛୁ ଯେ ସେମାନଙ୍କୁ ଖୋଲା ଛାଡ଼ିଲେ କିଛି ଭଲ ଘଟିବ ନାହିଁ। ହୁଏତ ଅନେକ ବର୍ଷ ଧରି ଆମକୁ ହିଂସାତ୍ମକ ପ୍ରତିବାଦ ଦେଖିବାକୁ ମିଳିବ। କିନ୍ତୁ କଶ୍ମୀରର ଆଭ୍ୟନ୍ତରୀଣ ହିଂସା ଆମ ଭିତରେ ଉଦ୍‌ବେଗ ସୃଷ୍ଟି କରିବ ନାହିଁ, କାରଣ ଏହା ଦୀର୍ଘକାଳ ଧରି ଚାଲିଆସିଛି।
ତୃତୀୟ କଥା ହେଲା ଅଯୋଧ୍ୟାରେ ମନ୍ଦିର ବାବଦରେ ନିଷ୍ପତ୍ତି ନେବା ପାଇଁ ସରକାର ବାଧ୍ୟ ହେବେ। ଚଳିତ ବର୍ଷ ଶେଷ ହେବା ପୂର୍ବରୁ କୋର୍ଟ ଏ ସମ୍ପର୍କରେ ରାୟ ଶୁଣାଇଦେବେ। କୋର୍ଟଙ୍କ ପ୍ରାରମ୍ଭିକ ମତିଗତିରୁ ରାୟ କେଉଁ ଦିଗରେ ଯିବ ତାହା ଅନୁମାନ କରିବା କଷ୍ଟକର ନୁହେଁ। ରାୟ ଯାହା ହେଉନା କାହିଁକି ଅଯୋଧ୍ୟାକୁ ନେଇ ଅନେକ ହିଂସାକାଣ୍ଡ ଅତୀତରେ ଘଟିଯାଇଛି ଏବଂ ତାକୁ ପୁଣି ଉଖାରିବା ସାଂଘାତିକ ହେବ। ଆସାମ ଓ କଶ୍ମୀର ପରି ଅଯୋଧ୍ୟା ଦୀର୍ଘକାଳ ଧରି ଲୋକଙ୍କ ବିସ୍ମୃତି ଭିତରେ ହଜିଯାଇଥିଲା ଏବଂ ତାକୁ ଏକ ଗୁରୁତ୍ୱହୀନ ପ୍ରସଙ୍ଗ ପରି ମନେକରାଯାଉଥିଲା। ସେ ପରିସ୍ଥିତି ଏବେ ବଦଳିଯିବ।
ଉକ୍ତ ତିନୋଟି ବିରାଟ ପ୍ରସଙ୍ଗ ଏବେ ଆମ ଆଗରେ ଉଭା ହୋଇଛି। ଜାତୀୟ ଧ୍ୟାନ ଓ ଆବେଗ ଦୃଷ୍ଟିରୁ ଏଥିପାଇଁ ସରକାରଙ୍କୁ ବହୁ ଅର୍ଥ ନିବେଶ କରିବାକୁ ପଡ଼ିବ। ଯେଉଁମାନେ ସରକାରଙ୍କ କାର୍ଯ୍ୟଧାରାକୁ ବିରୋଧ କରି ଆସୁଛନ୍ତି, ସେମାନେ ନିରବଚ୍ଛିନ୍ନ ଉତ୍ପୀଡ଼ନ ଦେଖିବେ ଏବଂ ଯେଉଁମାନେ ସମର୍ଥନ କରିଆସୁଛନ୍ତି ସେମାନେ ଉଲ୍ଲସିତ ହେବେ। ଅବଶିଷ୍ଟ ବିଶ୍ୱ ଆଗରେ ଆମେ ସମସ୍ତ ଉତ୍ପୀଡ଼ନକୁ ଆମର ଆଭ୍ୟନ୍ତରୀଣ ବ୍ୟାପାର ଓ ନ୍ୟାୟୋଚିତ କହି ଛଳନା କରିବା କଷ୍ଟକର ହୋଇପଡ଼ିବ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri