ଭାରତର ବିଜ୍ଞାନ ଅଭିମୁଖୀ ଜନଯାତ୍ରା: ସାମିଲ ହେଲେ ବୈଜ୍ଞାନିକ, ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୦ା୮(ବ୍ୟୁରୋ): ଭୁବନେଶ୍ୱର ସମେତ ଦେଶର ପ୍ରାୟ ୮୦ଟି ସହରରେ ହଜାର ହଜାର ସଂଖ୍ୟାରେ ବୈଜ୍ଞାନିକ, ଗବେଷକ ତଥା ବିଜ୍ଞାନପ୍ରେମୀ ଛାତ୍ରୀଛାତ୍ରଙ୍କ ସହ ‘ଭାରତର ବିଜ୍ଞାନ ଅଭିମୁଖୀ ଜନଯାତ୍ରା’ ପାଳନ କରିଛନ୍ତି। ଜନଗଣ ସମାଜର ବୈଜ୍ଞାନିକ ଚିନ୍ତାର ପ୍ରଚାର-ପ୍ରସାର କରିବା ଓ ପ୍ରଚଳିତ ନାନାବିଧ ବିଭିନ୍ନ ଅନ୍ଧ ବିଶ୍ୱାସକୁ ଦୂର କରିବା ପାଇଁ ଏହି ଜନଯାତ୍ରାର ଆୟୋଜନ କରାଯାଇଛି। ଶୁକ୍ରବାର ଏ ପରିପ୍ରେକ୍ଷୀରେ ଆଇଓପି, ନାଇଜର, ଆଇଆଇଟି ଓ ଉତ୍କଳ ବିଶ୍ୱବିଦ୍ୟାଳୟର ବହୁ ବୈଜ୍ଞାନିକ ଏବଂ ଗବେଷକମାନଙ୍କ ସହ ସହରର ବହୁ ସ୍କୁଲ, କଲେଜର ଛାତ୍ରୀଛାତ୍ରମାନେ ଶହ ଶହ ସଂଖ୍ୟାରେ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଆଇନଷ୍ଟାଇନ, ସି.ଭି ରମଣ, ମେଘନାଦ ଶାହା, ମ୍ୟାଡାମ କ୍ୟୁରି ଓ ଷ୍ଟିଫେନ୍‌ ହକିଂଙ୍କ ପରି ବହୁ ପ୍ରକ୍ଷାତ ବୈଜ୍ଞାନିକଙ୍କର ଫଟୋଚିତ୍ର ଓ ଉଦ୍ଧୃତି ସମ୍ବଳିତ ପୋଷ୍ଟରମାନ ଧରି ପିଲାମାନେ ବିଜ୍ଞାନକୁ ଏକ ଉତ୍ସବ ଭାବେ ପାଳନ କରିବାର ଦେଖାଯାଇଥିଲା। ଶୋଭାଯାତ୍ରା ରାମ ମନ୍ଦିର ଛକରୁ ବାହାରି ସଙ୍ଗୀତ ମହାବିଦ୍ୟାଳୟରେ ପହଞ୍ଚତ୍ବା ପରେ ସେଠାରେ ସଭାର ଆୟୋଜନ କରାଯାଇଥିଲା।
ଏଠାରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମାଥମେଟିକ୍ସର ପୂର୍ବତନ ଅଧ୍ୟକ୍ଷ ସ୍ବାଧୀନ ପଟ୍ଟନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ପ୍ରଫେସର ବୀରେନ୍ଦ୍ର ନାୟକ, ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସର ବୈଜ୍ଞାନିକ ପ୍ରଫେସର ଅଜିତ ଶ୍ରୀବାସ୍ତବ, ପ୍ରଫେସର ବିଜୁ ରାଜଶେଖର, ପ୍ରଫେସର ଶୁଭାଶିଷ ବସାକ୍‌, ପ୍ରଫେସର ଏଲ୍‌.ପି.ସିଂହ ପ୍ରମୁଖ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ଡଃ ସିଦ୍ଧାର୍ଥ ଭରଦ୍ୱାଜ ଏହି ସଭାକୁ ପରିଚାଳନ କରିଥିଲେ।

Share