ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ
୧୯୪୭ ମସିହାରେ ଭାରତ ସ୍ବାଧୀନ ହେବା ପରେ ପଣ୍ଡିତ ନେହେରୁଙ୍କ ନେତୃତ୍ୱରେ କଂଗ୍ରେସ ଦଳ (ଭାରତୀୟ ଜାତୀୟ କଂଗ୍ରେସ) ଦେଶର ଶାସନ ଭାର ଗ୍ରହଣ କରିଥିଲା। ସେହି ସମୟରୁ ସର୍ବାଧିକ ୫୭ ବର୍ଷ ୫ ମାସ କାଳ କଂଗ୍ରେସ ଦେଶକୁ ଶାସନ କରିଛି। ନେହେରୁଙ୍କ ପରେ ଲାଲବାହାଦୁର ଶାସ୍ତ୍ରୀ ଏବଂ ତତ୍ପରେ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱରେ କଂଗ୍ରେସ ନିରବଚ୍ଛିନ୍ନ ଭାବେ ପ୍ରାୟ ୩୦ ବର୍ଷ ଦେଶର ଶାସନର ମଙ୍ଗ ଧରିଛି, କାରଣ ସେ ପର୍ଯ୍ୟନ୍ତ ସର୍ବଭାରତୀୟ ସ୍ତରରେ କଂଗ୍ରେସର ବିକଳ୍ପ କୌଣସି ରାଜନୈତିକ ଦଳର ଆବିର୍ଭାବ ଘଟି ନ ଥିଲା। ଦଳୀୟ ଏକାଧିପତ୍ୟ ହେତୁ ଶାସକ ଦଳର ନାନା ତ୍ରୁଟିବିଚ୍ୟୁତି ଏବଂ କୁଶାସନ ତଥା ପ୍ରିୟାପ୍ରୀତି ତୋଷଣ ଏବଂ କ୍ଷେତ୍ର ବିଶେଷରେ ନାନା ଦୁର୍ନୀତିର ଶିକାର ହୋଇ ଦେଶର ବୌଦ୍ଧିକ ସମାଜ ଇଂଲଣ୍ଡ ତଥା ଅନ୍ୟାନ୍ୟ ପାଶ୍ଚାତ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରର ଅନୁକରଣରେ ସର୍ବଭାରତୀୟ ସ୍ତରରେ କଂଗ୍ରେସର ବିକଳ୍ପ ଭାବେ ଗୋଟିଏ ଶକ୍ତିଶାଳୀ ରାଜନୈତିକ ଦଳ ଅଥବା ସଂଗଠନର ଆବଶ୍ୟକତା ଅନୁଭବ କରୁଥିଲେ। ଏହାଦ୍ୱାରା ଦେଶରେ ଏକ ଦ୍ୱିଦଳୀୟ ଗଣତନ୍ତ୍ର ବ୍ୟବସ୍ଥା ପ୍ରତିଷ୍ଠିତ ହୋଇପାରିବ ଏବଂ ଉଭୟ ଦଳ ପରସ୍ପରର ପ୍ରତିଯୋଗୀ ହୋଇ ଦେଶର ପ୍ରଗତିକୁ ତ୍ୱରାନ୍ବିତ କରିବା ସଙ୍ଗେ ସଙ୍ଗେ ଏକ ଶକ୍ତିଶାଳୀ ବିରୋଧୀ ଦଳ ସର୍ବଦା ଶାସକ ଦଳର ଏକଚ୍ଛତ୍ରବାଦ ବିରୋଧରେ ଜନଗଣଙ୍କ ରକ୍ଷାକବଚ ଭାବେ କାର୍ଯ୍ୟ କରିବ।
ପ୍ରଥମକରି ୧୯୭୭ ସାଧାରଣ ନିର୍ବାଚନରେ ଜନତା ପାର୍ଟି ନାମକ ଏକ ସର୍ବଭାରତୀୟ ରାଜନୈତିକ ମେଣ୍ଟ କଂଗ୍ରେସକୁ ପରାଜିତ କରି ମୋରାରଜୀ ଦେଶାଇଙ୍କ ନେତୃତ୍ୱରେ ଦେଶର ପ୍ରଥମ ଅଣକଂଗ୍ରେସ ସରକାର ଗଠନ କରିଥିଲା। କିନ୍ତୁ ସଂଗଠନର ବିଭିନ୍ନ ଦଳ ମଧ୍ୟରେ ନୀତିଗତ ଐକ୍ୟ ଏବଂ ପାରସ୍ପରିକ ସଂହତି ନ ଥିବାରୁ ମୋରାରଜୀଙ୍କୁ ୨୮ା୭ା୭୯ରେ ଇସ୍ତଫା ଦେବାକୁ ପଡିଲା ଏବଂ ୧୯୮୦ ନିର୍ବାଚନରେ କଂଗ୍ରେସ ପୁନର୍ବାର କ୍ଷମତାକୁ ଫେରିଲା। ଏହାପରେ ୧୯୮୯ ନିର୍ବାଚନରେ ଭି.ପି. ସିଂହଙ୍କ ଜନତା ଦଳ ମେଣ୍ଟ କେନ୍ଦ୍ରରେ ଏକ ଅଣକଂଗ୍ରେସ ସରକାର ଗଠନ କଲା, କିନ୍ତୁ ଦଳୀୟ ସ୍ବାର୍ଥ ଦୃଷ୍ଟିରୁ ମେଣ୍ଟର ଅନ୍ୟତମ ଅଂଶୀଦାର ଭାଜପା ସମର୍ଥନ ପ୍ରତ୍ୟାହାର କରିନେବାରୁ ଉକ୍ତ ସରକାରର ପତନ ଘଟିଲା। ସେହିପରି ୧୯୯୮ ସାଧାରଣ ନିର୍ବାଚନ ପରେ ନ୍ୟାଶ୍ନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍ଡିଏ) ନାମକ ଗଠବନ୍ଧନ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱରେ ସରକାର ଗଠନ କରିଥିଲେ। କିନ୍ତୁ ୧୯୯୯ ମସିହା ମେ ମାସରେ ସହଯୋଗୀ ଏଆଇଏଡିଏମ୍କେ ସମର୍ଥନ ପ୍ରତ୍ୟାହାର କରିନେବାରୁ ଉକ୍ତ ମେଣ୍ଟ ସରକାରର ପତନ ଘଟିଲା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ ସର୍ବଭାରତୀୟ ଦଳଗୁଡିକର ଶକ୍ତି ବୃଦ୍ଧି ନ ହେଲେ ଆଞ୍ଚଳିକ ଦଳଗୁଡିକ ଉପରେ ନିର୍ଭର କରି ସରକାର ଗଠନ କରିବା ଦ୍ୱାରା ସେମାନଙ୍କର ଖିଆଲ ଅନୁଯାୟୀ ସରକାରଙ୍କୁ ଚାଲିବାକୁ ପଡିବ, ନଚେତ୍ ସେମାନେ ସମର୍ଥନ ପ୍ରତ୍ୟାହାର କରି ସରକାରର ପତନ ଘଟାଇବେ।
ସେହି ପ୍ରକ୍ରିୟାରେ ୧୯୯୯ ମସିହାରେ ଭାଜପା ନେତୃତ୍ୱରେ ଏନ୍ଡିଏ ମେଣ୍ଟ ଏକ ନିର୍ଭରଯୋଗ୍ୟ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କଲା ଏବଂ ଅଟଳବିହାରୀ ବାଜପେୟୀ ୨୦୦୪ ମସିହା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପାଞ୍ଚବର୍ଷ କାଳ ପ୍ରଧାନମନ୍ତ୍ରୀ ରହିଲେ। ସେହିପରି ୨୦୦୪ ଏବଂ ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସ ନେତୃତ୍ୱରେ ୟୁନାଇଟେଡ୍ ପ୍ରୋଗ୍ରେସିଭ ଆଲାଏନ୍ସ (ୟୁପିଏ) ନାମକ ଗଠବନ୍ଧନ (ମେଣ୍ଟ) ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରିତ୍ୱରେ ଦୀର୍ଘ ଦଶବର୍ଷ କାଳ ଦେଶର ଶାସନ ଦାୟିତ୍ୱ ତୁଲାଇଛି। ଏହିପରି ଏନ୍ଡିଏ ଏବଂ ୟୁପିଏ ଭଳି ଦୁଇଟି ମେଣ୍ଟ ବା ଗଠବନ୍ଧନର କ୍ରମ ଆବିର୍ଭାବ ଦେଶରେ ଏକ ସୁସ୍ଥ ଦ୍ୱିଦଳୀୟ ଗଣତନ୍ତ୍ର ବ୍ୟବସ୍ଥାର ସମ୍ଭାବନା ସୃଷ୍ଟି କରିଛି। ଏହି ଉଭୟ ମେଣ୍ଟ ନିଜ ନିଜର ଆଦର୍ଶ ଏବଂ ଉଦ୍ଦେଶ୍ୟ ସମ୍ବଳିତ ସର୍ବସମ୍ମତ ସମ୍ବିଧାନ ପ୍ରଣୟନ କରି ତାହାଦ୍ୱାରା ପରିଚାଳିତ ହେବା ଉଚିତ। ଯେପରି କି ସଂଗଠନର ବିଭିନ୍ନ ଦଳ ମଧ୍ୟରେ ନୀତିଗତ ଐକ୍ୟ ବଜାୟ ରହିପାରିବ।
୨୦୧୪ ସାଧାରଣ ନିର୍ବାଚନରେ ଭାଜପା ନେତୃତ୍ୱରେ ଏନଡିଏ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବା ସହିତ ନରେନ୍ଦ୍ର ମୋଦି ଦେଶର ଜଣେ ସୁଦକ୍ଷ ପ୍ରଧାନମନ୍ତ୍ରୀ ଭାବେ ଆବିର୍ଭୂତ ହୋଇଛନ୍ତି। ତାଙ୍କର ବିଚକ୍ଷଣ ବ୍ୟକ୍ତିତ୍ୱ, ସଂଗଠନ କ୍ଷମତା, ବଳିଷ୍ଠ ନେତୃତ୍ୱ, ସାହସିକତା, ଉଦ୍ବୁଦ୍ଧ ଦେଶପ୍ରାଣତା ତଥା ସୁକୌଶଳୀ ପରିଚାଳନାରେ ଦେଶ ଦ୍ରୁତ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି ବୋଲି ସର୍ବସାଧାରଣରେ ଧାରଣା ସୃଷ୍ଟି ହୋଇଛି। ତାଙ୍କର ନାଟକୀୟ ପ୍ରଚାର ଶୈଳୀ ଏବଂ ଦୃଢ଼ ମନୋଭାବ ଯୋଗୁ ତାଙ୍କ ବିରୋଧରେ ଆଗତ ସମସ୍ତ ସମାଲୋଚନାକୁ ଅତିକ୍ରମ କରିବାର ଅଦ୍ଭୁତ କ୍ଷମତା ରହିଛି। ତା’ ଛଡା ତାଙ୍କର ଦୁର୍ନୀତି ବିରୋଧୀ ଅଭିଯାନ, ସ୍ବଚ୍ଛ ଭାରତ ମିଶନ, ପି.ଏମ୍ କିଷାନ ଯୋଜନା, ପିଏମ୍ ଆବାସିକ ଯୋଜନା, ଆୟୁଷ୍ମାନ ଭାରତ ମିଶନ, ଉଜ୍ଜ୍ୱଳା ଗ୍ୟାସ୍ ଯୋଜନା ପ୍ରଭୃତି ଲୋକ କଲ୍ୟାଣମୁଖୀ ପ୍ରକଳ୍ପଗୁଡିକ ତାଙ୍କୁ ଅଭୂତପୂର୍ବ ଲୋକପ୍ରିୟତା ଆଣିଦେଇଛି। ବଡ଼କଥା ହେଲା ଜଣେ ହିନ୍ଦୁତ୍ୱବାଦୀ ପ୍ରଧାନମନ୍ତ୍ରୀ ଭାବେ ଆତ୍ମପ୍ରକାଶ କରି ସେ ଦେଖାଇ ଦେଇଛନ୍ତି ଯେ ନିଜ ଧର୍ମ ପ୍ରତି ଅନୁରକ୍ତ ଥାଇ ମଧ୍ୟ ଜଣେ ପ୍ରଧାନମନ୍ତ୍ରୀ ସହିଷ୍ଣୁତା, ସହାନୁଭୂତି ଏବଂ ସାମ୍ୟ ମନୋଭାବ ଦ୍ୱାରା ଦେଶର ସମସ୍ତ ସମ୍ପ୍ରଦାୟର ଲୋକଙ୍କ ଆସ୍ଥାଭାଜନ ହୋଇପାରନ୍ତି। ବିଶେଷକରି ତଥାକଥିତ ଧର୍ମନିରପେକ୍ଷତା ନାମରେ ଦୀର୍ଘଦିନ ଅବହେଳା ଏବଂ ଅବିଚାରର ଶିକାର ହୋଇଥିବା ଦେଶର ସଂଖ୍ୟାଗରିଷ୍ଠ ହିନ୍ଦୁ ସମ୍ପ୍ରଦାୟ ତାଙ୍କ ମଧ୍ୟରେ ଜଣେ ତ୍ରାଣକର୍ତ୍ତାଙ୍କୁ ଖୋଜି ପାଇଲା ଭଳି ମନେହେଉଛି। ଭବିଷ୍ୟତରେ ଦେଶ ତାଙ୍କଠାରୁ ଅନେକ କିଛି ଆଶା କରୁଛି। କିନ୍ତୁ ତାଙ୍କର ପ୍ରଧାନ ଶତ୍ରୁ ହେଲେ ଦଳ ମଧ୍ୟରେ ସକ୍ରିୟ ଥିବା କେତେକ ଉଦ୍ଭ୍ରାନ୍ତ କଠୋରବାଦୀ ଗୋଷ୍ଠୀ, ଯେଉଁମାନେ ଧର୍ମ ନାମରେ ସାମ୍ପ୍ରଦାୟିକ ବିଦ୍ୱେଷ ଏବଂ ବିଶୃଙ୍ଖଳା ସୃଷ୍ଟି କରିଚାଲିଛନ୍ତି।
ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏନ୍ଡିଏ ମେଣ୍ଟ ୨୦୧୯ ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିଛି। ଏନ୍ଡିଏ ୩୫୩ ଆସନ ପାଇଥିଲା ବେଳେ ଭାଜପା ଏକକ ଭାବରେ ୩୦୩ ଆସନରେ ଜୟଲାଭ କରିଛି। ଅପରପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟ ଶୋଚନୀୟ ଭାବେ ପରାଜିତ ହୋଇଛି। ଐତିହାସିକ କଂଗ୍ରେସ ଦଳ ବର୍ତ୍ତମାନ ଅବଲୁପ୍ତି ପଥରେ, ଏଣେ କିନ୍ତୁ ସମଗ୍ର ଦେଶରେ ଏକଚ୍ଛତ୍ରବାଦ ପ୍ରତିଷ୍ଠା ଲକ୍ଷ୍ୟରେ ଭାଜପା ନେତୃତ୍ୱ କ୍ରମାଗତ ଚେଷ୍ଟା ଜାରି ରଖିଛନ୍ତି। ସମଗ୍ର ଦେଶରେ ଭାଜପାର ୧୦ କୋଟିରୁ ଊର୍ଦ୍ଧ୍ୱ ସକ୍ରିୟ ସଦସ୍ୟ ଥିବା ବେଳେ ସର୍ବବୃହତ୍ ଦଳୀୟ ପାଣ୍ଠି ରହିଛି। ଲୋକ ସଭାରେ ନିରଙ୍କୁଶ କ୍ଷମତା ହାସଲ କଲା ପରେ ଭାଜପା ବର୍ତ୍ତମାନ ରାଜ୍ୟ ସଭାକୁ କବ୍ଜା କରିବାକୁ ଅଗ୍ରସର ହେଉଛି। ଦେଶର ଅଧିକାଂଶ ରାଜ୍ୟରେ ଭାଜପା ସମର୍ଥିତ ସରକାର ରହିଛି ଏବଂ ଅବଶିଷ୍ଟ ଯେଉଁ କେତେକ ଅଣଭାଜପା ସରକାର ଅଛନ୍ତି ସେମାନଙ୍କର ପତନ ଅଥବା ଭାଜପାରେ ବିଲୟ ଆସନ୍ନ। ଏଭଳି ଦଳୀୟ ଏକଚ୍ଛତ୍ରବାଦ କାହାରି ପକ୍ଷରେ ଶୁଭଙ୍କର ନୁହେଁ। ଏପରି କି ନରେନ୍ଦ୍ର ମୋଦିଙ୍କ ପାଇଁ ମଧ୍ୟ ନୁହେଁ। କାରଣ କଥାରେ ଅଛି ନିରଙ୍କୁଶ କ୍ଷମତା ଭ୍ରଷ୍ଟାଚାରର ଆମନ୍ତ୍ରକ। ଏଭଳି ଅବାଞ୍ଛିତ ପରିଣତି ହାତରୁ ଦେଶକୁ ରକ୍ଷା କରିବାକୁ ହେଲେ ୟୁପିଏ ମେଣ୍ଟକୁ ଗଣତାନ୍ତ୍ରିକ ପଦ୍ଧତିରେ ସୁସଂଗଠିତ ହେବାକୁ ପଡିବ, ଯାହାଦ୍ୱାରା ଯୋଗ୍ୟ ନେତୃତ୍ୱର ଆବିର୍ଭାବ ଘଟିବ। ସେଥିପାଇଁ ପ୍ରଥମେ କଂଗ୍ରେସ ଦଳକୁ ପାରିବାରିକ ମାଲିକାନାରୁ ମୁକ୍ତ ହେବାକୁ ପଡ଼ିବ। ଭବିଷ୍ୟତ ହିଁ କହିବ ଦେଶର ଗଣତନ୍ତ୍ର କେଉଁ ପ୍ରକାର ରୂପ ଗ୍ରହଣ କରିବ- ରେଡ୍ ଚାଇନା ଭଳି ଦଳୀୟ ଏକଚ୍ଛତ୍ରବାଦ ଅଥବା ଦ୍ୱିଦଳୀୟ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା।
ପ୍ଲଟ ନଂ. ୫୦୬, ନୟାପଲ୍ଲୀ, ଭୁବନେଶ୍ୱର, ମୋ-୯୪୩୭୨୮୭୯୬୪