Categories: ଜାତୀୟ

ଭାରତର ରାଫାଲ-ଚିନୁକ୍‌-ଆପାଚେ ନେଇ ଚାଇନା ଓ ପାକିସ୍ତାନକୁ ଘାରିଛି ସୁରକ୍ଷା ଚିନ୍ତା

ନୂଆଦିଲ୍ଲୀ, ୩।୬: ଆଗାମୀ ଦିନରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ବେଶ୍‌ ସୁଦୃଢ଼ ହେବାକୁ ଯାଉଛି। କିଛି ମାସ ମଧ୍ୟରେ ଭାରତକୁ ରାଫାଲ୍‌ ଯୁଦ୍ଧ ବିମାନ ମିଳିବ। ୨୦୨୨ ସୁଦ୍ଧା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଫ୍ରାନ୍ସ୍‌ର ୩୬ଟି ଏଭଳି ବିମାନକୁ ମୁତୟନ କରାଯିବ। ଏହାର ୧୮ଟି ବିମାନକୁ ନେଇ ଗଠିତ ସ୍କାଡ୍ରନ୍‌ ଅମ୍ବାଲା ଏବଂ ହାସିମରାଠାରେ ମୁତୟନ ହେବ ବୋଲି ବାୟୁସେନା ପକ୍ଷରୁ କୁହାଯାଉଛି। ସେହିପରି ଆମେରିକା ଭାରତକୁ ୨୨ ଆପାଚେ ହେଲିକପ୍ଟର ଯୋଗାଇ ଦେବ। ଏହା ଭାରତୀୟ ପ୍ରତିରକ୍ଷା କ୍ଷେତ୍ରର କାର୍ଯ୍ୟକୁ ଅଧିକ ସହଜ କରିବାକୁ ସକ୍ଷମ ହେବ। ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ସେନାକୁ ଆବଶ୍ୟକ ସହାୟତା ଲାଗି ପ୍ରତିରକ୍ଷା ବ୍ୟବସ୍ଥାରେ ଆମେରିକା ନିର୍ମିତ ୪ ଚିନୁକ୍‌ ହେଲିକପ୍ଟର ଇତିମଧ୍ୟରେ ସାମିଲ୍‌ ହୋଇ ସାରିଛି। ଆଗାମୀ ଦିନରେ ୧୫ ଚିନୁକ୍‌ ହେଲିକପ୍ଟର ପ୍ରତିରକ୍ଷା ସେବାରେ ସାମିଲ କରାଯିବ। ଏହା ପାହାଡ଼ିଆ ଅଞ୍ଚଳରେ ୨୦ ହଜାର ଫୁଟ ପର୍ଯ୍ୟନ୍ତ ୧୦ ଟନ୍‌ ସାମଗ୍ରୀ ବୋହି ନେବାକୁ ସକ୍ଷମ। ଏହା ସହିତ ଯବାନଙ୍କ ପାଇଁ ଆମେରିକାରୁ ୭୨ ହଜାର ଆସାଲ୍ଟ ରାଇଫଲ କିଣିବା ପାଇଁ ବୁଝାମଣା ହୋଇଛି। ସେହିପରି ରୁଷିଆ ନିର୍ମିତ ଏସ୍‌-୪୦୦ ମିସାଇଲ୍‌ ଡିଫେନ୍ସ ସିଷ୍ଟମ୍‌ ଭାରତରେ ଆଗାମୀ ଦିନରେ ସାମିଲ ହେବ। ଭାରତର ପ୍ରତିରକ୍ଷା କ୍ଷମତା ବଢ଼ାଇବା ପାଇଁ ୧୧୪ଟି ଏଫ୍‌-୨୧ ଯୁଦ୍ଧ ବିମାନ ଆମେରିକାରୁ କିଣାଯିବା ପାଇଁ ଚୁକ୍ତି ହୋଇଛି। ଭାରତର କ୍ରମବର୍ଦ୍ଧମାନ ପ୍ରତିରକ୍ଷା ବ୍ୟବସ୍ଥାକୁ ଦେଖି ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି। ଆଧୁନିକ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ଭାରତର ସୀମା ସୁରକ୍ଷା ସୁଦୃଢ଼ ହୋଇପାରିବ ବୋଲି କୁହାଯାଉଛି।

Share