Categories: ବାଣିଜ୍ୟ

ଭାରତର ୭.୫%ବିକାଶ ହାରରେ ବିଶ୍ୱବ୍ୟାଙ୍କ କାଏମ

ନୂଆଦିଲ୍ଲୀ,୬-୬: ଭାରତର ଆର୍ଥିକ ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷରେ ୭.୫% ରହିବ ବୋଲି ବିଶ୍ୱ ବ୍ୟାଙ୍କ ନିଜର ପୂର୍ବାନୁମାନରେ ଏବେ ସୁଦ୍ଧା କାଏମ ରହିଛି। ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ଉକ୍ତ ଜିଡିପି ହାରରେ ଭାରତର ଅଭିବୃଦ୍ଧି ଘଟିବ ବୋଲି ବିଶ୍ୱ ବ୍ୟାଙ୍କ କହିଛି। ନିବେଶ ଏବଂ ବ୍ୟକ୍ତିଗତ ଉପଭୋଗ ବୃଦ୍ଧି ଯୋଗୁ ଏହି ହାର ବଜାୟ ରହିବ ବୋଲି ଏହା ଅନୁମାନ କରିଛି। ତେବେ ଆସନ୍ତା ୩ ବର୍ଷ ଭିତରେ ଚାଇନାର ଅଭିବୃଦ୍ଧି ହାର କ୍ରମାଗତ ହ୍ରାସ ପାଇବ ବୋଲି ବିଶ୍ୱ ବ୍ୟାଙ୍କ ଏହାର ଗ୍ଲୋବାଲ ଇକୋନୋମିକ ପ୍ରସ୍‌ପେକ୍ଟସ ରିପୋର୍ଟରେ ଦର୍ଶାଇଛି। ଏଥିରେ କୁହାଯାଇଛି ଯେ, ସ୍ଥିର ସରକାର କାରଣରୁ ଭାରତରେ ନିବେଶ ବୃଦ୍ଧି ପାଇବ। ଏହାବ୍ୟତୀତ ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କର ଲକ୍ଷ୍ୟଠାରୁ କମ୍‌ ରହିଛି। ଫଳରେ ମୁଦ୍ରାନୀତି ସୁଗମ ହେବ। ଏଥିସହିତ ଅଧିକ ଋଣ ପ୍ରଦାନ ଯୋଗୁ ବ୍ୟୟ ବୃଦ୍ଧି ପାଇବ ଏବଂ ନିବେଶକୁ ଫାଇଦା ମିଳିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ସୂଚନାଥାଉ କି, ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଗତ ସପ୍ତାହରେ ଦେଶର ଜିଡିପି ହାର ଘୋଷଣା କରାଯାଇଥିଲା। ମାର୍ଚ୍ଚ ତ୍ରୈମାସରେ ବିକାଶ ହାର ୫.୮% ଏବଂ ସମ୍ପୂର୍ଣ୍ଣ ଆର୍ଥିକ ବର୍ଷ(୨୦୧୮-୧୯) ପାଇଁ ଏହା ୬.୮% ରହିଛି ବୋଲି କୁହାଯାଇଛି। ଏହା ୫ ବର୍ଷର ବାର୍ଷିକ ଅଭିବୃଦ୍ଧିରେ ସର୍ବନିମ୍ନ କୁହାଯାଉଛି।

Share