ଭାରତୀୟଙ୍କୁ ଭାଗ୍ୟବାନ ବୋଲି କହିଲେ ଆମେରିକା ଡାକ୍ତର

ଓ୍ବାଶିଂଟନ,୧୮।୪: ଆମେରିକାର ନ୍ୟୁଜର୍ସିରେ ଏବେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଭାରତୀୟ ଡାକ୍ତର କ୍ରିତି ଅଗ୍ରଓ୍ବାଲ କୁହନ୍ତି ପ୍ରତିଦିନ ସେ ଚିକିତ୍ସା କରୁଥିବା ହସ୍ପିଟାଲରେ ଶହ ଶହ କରୋନା ସଂକ୍ରମିତ ଲୋକ ଆସୁଛନ୍ତି। ଏହାସହ ଆମେରିକାରେ ପ୍ରତିଦିନ ହଜାର ହଜାର କରୋନା ସଂକ୍ରମିତଙ୍କ ମୃତ୍ୟୁ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠି ପ୍ରତିଦିନ ଡାକ୍ତରମାନେ ୧୮-୨୦ ଘଣ୍ଟା ରୋଗୀଙ୍କ ସେବା କରୁଥିଲେ ମଧ୍ୟ ଅଧିକାଂଶ ରୋଗୀଙ୍କୁ ବଞ୍ଚାଇବା କାଠିକର ପାଠ ହୋଇଯାଉଛି। ଏଠାରେ ସବୁ ପ୍ରକାର ସୁବିଧା ସୁଯୋଗ ଥାଇ ମଧ୍ୟ ଦିନକୁ ହଜାର ହଜାର ସଂଖ୍ୟାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଦେଶର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଲାଣି କହିଲେ ଚଳେ। ଏବେ ଆମେରିକାର ଲୋକେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ ଏପରି ପରିସ୍ଥିତିରେ ବି ଡାକ୍ତରମାନେ ସେମାନଙ୍କ ଜୀବନକୁ ବାଜି ଲଗାଇ କରୋନା ସଂକ୍ରମିତଙ୍କ ଚିକିତ୍ସା ଜାରି ରଖିଛନ୍ତି। ହେଲେ ଭାରତରେ ଯେଉଁମାନେ ଅଛନ୍ତି ସେମାନେ ଭାଗ୍ୟବାନ ବୋଲି ଡାକ୍ତର କ୍ରିତି କହିଛନ୍ତି। କାରଣ ଭାରତରେ ସ୍ଥିତି ନିୟନ୍ତ୍ରଣରେ ରହିଛି। ତେଣୁ ଏହି ସମୟରେ ସମସ୍ତେ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ଅତିକ୍ରମ କରିସାରିଥିବା ବେଳେ ଏହାକୁ ରୋକିବାକୁ ମେ’ ୩ ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି।

Share