Categories: ଖେଳ

ଭାରତୀୟ କବାଡ଼ି ଦଳର ପାକିସ୍ତାନ ଗସ୍ତ ଉପରେ ତଦନ୍ତ ହେବ

ଅମ୍ରିତସର/ନୂଆଦିଲ୍ଲୀ,୧୮।୨- ପାକିସ୍ତାନରେ ଅନୁଷ୍ଠିତ ସର୍କଲ କବାଡ଼ି ବିଶ୍ୱକପ୍‌ରେ ସ୍ବୀକୃତି ପାଇ ନ ଥିବା ଭାରତୀୟ ଦଳ ଅଂଶଗ୍ରହଣ କରିଥିଲା। ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁ। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ କବାଡ଼ି ଫେଡେରେଶନ (ଆଇକେଏଫ୍‌) ଦ୍ୱାରା ଅନଅଫିସିଆଲ ଘୋଷିତ ଟୁର୍ନାମେଣ୍ଟ ହୋଇଥିବାରୁ କୌଣସି ଅନୁମତି ଆବଶ୍ୟକ ନ ଥିଲା ବୋଲି ଦଳର ପ୍ରମୋଟର ଦାବିନ୍ଦର ସିଂ ବାଜଓ୍ବା କହିଛନ୍ତି। ଇଭେଣ୍ଟରେ ଭାରତ ରନର୍ସଅପ୍‌ ହୋଇ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛି। ଏକ ଟୁର୍ନାମେଣ୍ଟରେ ଭାଗ ନେବା ପାଇଁ ଆମକୁ କୌଣସି ଉଚ୍ଚାଧିକାରୀଙ୍କଠାରୁ ଅନୁମତି ଦରକାର ନାହିଁ। କାରଣ ଆମେ ସେଠାକୁ ବ୍ୟକ୍ତିଗତ ଖର୍ଚ୍ଚ ଓ ଭିଜା ନେଇ ଯାଇଥିଲୁ। ଏଣୁ ଏଥିରେ କିଛି ଭୁଲ୍‌ ନାହିଁ ବୋଲି ବାଜଓ୍ବା କହିଛନ୍ତି। ନୂଆଦିଲ୍ଲୀଠାରେ କ୍ରୀଡ଼ାମନ୍ତ୍ରୀ ଆମେଚର କବାଡି ଫେଡେରେଶନ ଅଫ୍‌ ଇଣ୍ଡିଆ (ଏକେଏଫ୍‌ଆଇ)କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆମେ ଅଫିସିଆଲ କବାଡି ଦଳ ପାକିସ୍ତାନ ପଠାଇ ନ ଥିଲୁ। ଅନ୍‌ଅଫିସିଆଲ ଦଳ ଅନ୍ୟ କୌଣସି ଦେଶରେ ଭାରତକୁ ପ୍ରତିନିଧିତ୍ୱ କରିବା ଉଚିତ ନୁହେଁ। କବାଡି ଫେଡେରେଶନ ତଦନ୍ତ କରି ପାକିସ୍ତାନରେ ବିନା ଅନୁମତିରେ ଭାରତର ନାମ ବ୍ୟବହାର କରିଥିବା ଖେଳାଳିଙ୍କୁ ଚିହ୍ନଟ କରିବ। ଯେ କୌଣସି କ୍ରୀଡ଼ାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ହେଲେ ଉକ୍ତ କ୍ରୀଡ଼ାର ଜାତୀୟ ଫେଡେରେଶନର ଅନୁମତି ନେବା ବାଧ୍ୟତାମୂଳକ। କିନ୍ତୁ କେହି ବ୍ୟକ୍ତିଗତ ଟୁର୍ନାମେଣ୍ଟରେ ଭାଗ ନେଲେ, ଆମେ କିଛି କରିପାରିବୁ ନାହିଁ ବୋଲି କ୍ରୀଡ଼ାମନ୍ତ୍ରୀ ରିଜିଜୁ କହିଛନ୍ତି।

Share