Categories: ଖେଳ

ଭାରତୀୟ କୋଚ୍‌ ପଦ ଦୌଡ଼ରେ ଲାଲଚାନ୍ଦ ରାଜପୁତ

ମୁମ୍ବାଇ,୩୧।୭(ପିଟି)- ପୂର୍ବତନ ଭାରତୀୟ ତଥା ମୁମ୍ବାଇ ଓପନର ଲାଲଚାନ୍ଦ ରାଜପୁତ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ଲାଗି ଆବେଦନ କରିଛନ୍ତି। ତାଙ୍କ ବ୍ୟତୀତ ପୂର୍ବତନ ଅଲରାଉଣ୍ଡର ରବିନ ସିଂ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦ ଦୌଡ଼ରେ ସାମିଲ ହୋଇଛନ୍ତି। ଏମାନେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେଇପାରନ୍ତି। ବର୍ତ୍ତମାନ ଶାସ୍ତ୍ରୀ ଓ ତାଙ୍କ ଟିମ୍‌ ଭାରତୀୟ ଦଳର ବିଭିନ୍ନ କୋଚିଂ ଦାୟିତ୍ୱରେ ଅଛନ୍ତି। ସେମାନେ ଆଗାମୀ ଓ୍ବେଷ୍ଟଇଣ୍ଡିଜ ସିରିଜ୍‌ ଶେଷ ହେବା ପରେ ପଦ ଛାଡ଼ିବେ। ରାଜପୁତ ପୂର୍ବରୁ ଜିମ୍ବାଓ୍ବେ ଦଳର କୋଚ୍‌ ଥିଲେ। ସେ ଗତ ମେ’ରେ ପଦ ଛାଡ଼ିଥିଲେ। ଏବେ ସେ ଗ୍ଲୋବାଲ ଟି୨୦ ଲିଗ୍‌ କ୍ଲବ ଓ୍ବିନ୍ନିପେଗ ହାଓ୍ବକର କୋଚ୍‌ ଦାୟିତ୍ୱରେ ଅଛନ୍ତି। ଭାରତୀୟ ଦଳର କୋଚ୍‌ ହେବାର ସୁଯୋଗ ମିଳିଲେ ମୁଁ ଗର୍ବିତ ହେବି। ଦଳରେ ବହୁ ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ସେମାନଙ୍କୁ ଉଚିତ ଦିଗରେ ପ୍ରେରିତ କରିବାକୁ ପଡ଼ିବ। ବିଭିନ୍ନ ସ୍ତରରେ ମୋର ୨୦ ବର୍ଷର କୋଚିଂ ଅଭିଜ୍ଞତା ରହିଛି। ମୁଁ ଏକମାତ୍ର ଭାରତୀୟ କୋଚ୍‌, ଯାହାଙ୍କ ନିକଟରେ ଅନ୍ତର୍ଜାତୀୟ ସ୍ତରର କୋଚିଂ ଦେବାର ଅଭିଜ୍ଞତା ଅଛି। ମୁଁ ଆଫଗାନିସ୍ତାନ ଓ ଜିମ୍ବାଓ୍ବେ ଭଳି ଦଳର କୋଚ ଥିଲି ବୋଲି ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ)ଠାରୁ ଲିଭଲ ୩ ସାର୍ଟିଫିକେଟ ପ୍ରାପ୍ତ କୋଚ୍‌ କହିଛନ୍ତି। ୫୬ ବର୍ଷୀୟ ପୂର୍ବତନ କ୍ରିକେଟର ରାଜପୁତଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଇସିସି ଟି୨୦ ବିଶ୍ୱକପ୍‌ ଟ୍ରଫି ଜିତିଥିଲା। ପରେ ତ୍ରିରାଷ୍ଟ୍ରୀୟ ସିବି ସିରିଜି ଜିତିଥିଲା।

Share