Categories: ଖେଳ

ଭାରତୀୟ କ୍ରିକେଟ ପାଇଁ ଆଜି ଏକ ଅଭୁଲା ଦିନ, ଜାଣନ୍ତୁ କାହିଁକି

ଆଜିର ଦିନ ଭାରତୀୟ କ୍ରିକେଟ ପାଇଁ ଏକ ଐତିହାସିକ ଦିନ। ବିଶେଷ କରି ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂଙ୍କ ପାଇଁ ଆଜିର ଦିନ ଏକ ଅଭୁଲା ଦିନ। ୨୦୦୭ ଟି-୨୦ କ୍ରିକେଟ ବିଶ୍ୱକପ ଯୁବରାଜ ସିଂ ଯେଉଁ କୀର୍ତ୍ତିମାନ ସ୍ଥାପନ କରିଥିଲେ ତାହା କ୍ରିକେଟ ପ୍ରେମୀ କେବେ ବି ଭୁଲିପାରିବେ ନାହିଁ। ଠିକ ୧୨ ବର୍ଷ ପୂର୍ବେ ୧୯ ସେପ୍ଟେମ୍ବର ଦିନ ଟି-୨୦ ବିଶ୍ୱକପର ଯୁବରାଜ ଗୋଟିଏ ଓଭରରେ ୬ଟି ଛକା ମାରି ବିଶ୍ୱ ରେକର୍ଡ ହାସଲ କରିଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ଟି ବିଶାଳ ଛକା ମାରି କ୍ରିକେଟ ଇତିହାସରେ ଏକ ନୂଆ ରେକର୍ଡ ରଚିଥିଲେ। ଏହି ମ୍ୟାଚଟି ଦକ୍ଷିଣ ଆପ୍ରିକାରେ ଖେଳାଯାଉଥିଲା। ଏହାସହ ଯୁବରାଜ ଏହି ମ୍ୟାଚ୍‌ରେ ଆଉ ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇଥିଲେ। ସେ ୧୨ଟି ବଲରୁ ଅର୍ଦ୍ଧଶତକ ହାସଲ କରି ଆଉ ଏକ ଇତିହାସ ରଚିଥିଲେ। ସବୁଠୁ କମ ବଲରେ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ମଧ୍ୟ ଯୁବରାଜଙ୍କ ନାଁରେ ରହିଛି। ଭାରତ ଏହି ମ୍ୟାଚ୍‌ରେ ଇଂଲଣ୍ଡକୁ ୧୮ରନ୍‌ରେ ପରାସ୍ତ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୧୮ ରନ କରିଥିବା ବେଳେ ଇଂଲଣ୍ଡ ମାତ୍ର ୨୦୦ ରନ କରିବାରେ ସକ୍ଷମ ହୋଇଥିଲା। ୨୦୦୭ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଥିଲା ଭାରତ।

Share