ନୂଆଦିଲ୍ଲୀ, ୯।୫:କରୋନା ଭାଇରସ ସଂକ୍ରମଣ ଜନିତ ଲକ୍ଡାଉନ୍ ସମୟରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କ ଫିଟ୍ନେସ କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ୧୭ ବର୍ଷରୁ କମ୍ ମହିଳା ଫୁଟବଲ ଦଳର ମୁଖ୍ୟ କୋଚ୍ ଥୋମାସ ଡେନର୍ବି । ସ୍ବିଡେନର ଷ୍ଟକ୍ହୋମ ସହରର ଦକ୍ଷିଣପୂର୍ବକୁ ୨୫ କିଲୋମିଟର ଦୂରରେ ଥିବା ୟେର୍ସୋରେ ଡେନେର୍ବି ରହୁଛନ୍ତି। ଗତ ମଙ୍ଗଳବାର ସେ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାର୍ତ୍ତାଳାପ କରିଥିଲେ। ”ପୂର୍ବରୁ ଦିଆ ଯାଇଥିବା ଫିଟ୍ନେସ ପ୍ରୋଗ୍ରାମ ଅନୁସାରେ ବାଳିକାମାନେ ଟ୍ରେନିଂ କରୁଛନ୍ତି। ସେମାନେ ଫିଟ୍ନେସ କୋଚ୍ ପିର କାର୍ଲସନଙ୍କ ସହ ଯୋଗାଯୋଗରେ ରହୁଛନ୍ତି। ମୁଁ ଏକ ହ୍ବାଟ୍ସଆପ୍ ଗ୍ରୁପ୍ କରି ସମସ୍ତଙ୍କର ପ୍ରତିଦିନର ରିପୋର୍ଟ ଅନୁଧ୍ୟାନ କରୁଛି । ପିଲାମାନେ କଠିନ ପରିଶ୍ରମ କରୁଥିବା ଦେଖି ମୁଁ ବହୁତ ଖୁସି“ ବୋଲି ଡେନେର୍ବି କହିଛନ୍ତି। ଭିଡିଓ କନ୍ଫରେନ୍ସିଂ କରି ପିଲାମାନଙ୍କୁ ଉତ୍ସାହିତ କରୁଛନ୍ତି ଏହି ସ୍ବିଡେନ କୋଚ୍। ପ୍ରକାଶ ଯୋଗ୍ୟ ଯେ, ୧୭ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ ଭାରତର ୫ଟି ସହର ଭୁବନେଶ୍ୱର, କୋଲକାତା, ଗୁଆହାଟୀ, ଅହମ୍ମଦାବାଦ ଓ ନଭି ମୁମ୍ବାଇରେ ୨୦୨୦ ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ହେବାର ଥିଲା। ମାତ୍ର କୋଭିଡ-୧୯ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି। ସ୍ଥାନୀୟ ଆୟୋଜକ କମିଟି(ଏଲଓସି), ସର୍ବଭାରତୀୟ ଫୁଟବଲ ଫେେଡେରେଶନ (ଏଆଇଏଫ୍ଏଫ୍) ଓ ଫିଫା ମିଳିତଭାବେ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିବେ।