Categories: ବାଣିଜ୍ୟ

ଭାରତୀୟ ଛାତ୍ରୀଛାତ୍ରଙ୍କୁ ଫାଇଦା; ବ୍ରିଟେନରେ ପଢ଼ିବା ପରେ ମିଳିବ ଓ୍ବାର୍କ ଭିଜା

ନୂଆଦିଲ୍ଲୀ,୧୨-୯: ବ୍ରିଟେନରେ ପାଠପଢ଼ୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ମୁଣ୍ଡବ୍ୟଥା କମାଇ ଦେଇଛି ସେଠା ସରକାର। ଏଣିକି ବ୍ରିଟେନରେ ଅଧ୍ୟୟନରତ ବିଦେଶୀ ଛାତ୍ରୀଛାତ୍ରଙ୍କୁ ପାଠପଢ଼ିବା ପରେ ୨ ବର୍ଷ ଲାଗି ଓ୍ବାର୍କ ଭିଜା ମିଳିବ। ଏନେଇ ବ୍ରିଟେନ ସରକାର ଘୋଷଣା କରିଛନ୍ତି। ସରକାରଙ୍କ ଏହି ଘୋଷଣା ଯୋଗୁ ଭାରତୀୟ ଛାତ୍ରୀଛାତ୍ର ସର୍ବାଧିକ ଫାଇଦା ହାସଲ କରିବେ। ବ୍ରିଟିଶ ମିଡିଆର ରିପୋର୍ଟ ଅନୁସାରେ ବ୍ରେକ୍‌ଜିଟ ପରେ ବିଦେଶୀ ଛାତ୍ରୀଛାତ୍ରଙ୍କ ସଂଖା ବଢ଼ିବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ପକ୍ଷରୁ ନୂଆ ଭିଜା ନୀତି ଘୋଷଣା କରାଯାଇଛି। ନୂଆ ନୀତି ୨୦୨୦-୨୧ରେ ପ୍ରବେଶ ପାଇଁ ଆବେଦନ ବେଳେ ଛାତ୍ରୀଛାତ୍ରଙ୍କୁ ଏହି ସୁଯୋଗ ମିଳିବ। ସୂଚନାଯୋଗ୍ୟ ଯେ, ୨୦୧୨ରେ ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟେରେସା ମେ ଏହି ନୀତିକୁ ପ୍ରତ୍ୟାହାର କରିନେଇଥିଲେ। ଏବେ ଏହାକୁ ପୁନର୍ବାର ଆରମ୍ଭ କରାଯାଉଛି। ଏହାଦ୍ୱାରା ବ୍ରିଟେନରେ ବିଦେଶୀ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢ଼ିପାରିବ। ବ୍ରିଟେନ ସରକାରଙ୍କ ଉକ୍ତ ନିଷ୍ପତ୍ତି ଯୋଗୁ ଭାରତୀୟଙ୍କୁ ଫାଇଦା ମିଳିବ। ଗତ ୩ ବର୍ଷ ଭିତରେ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବହୁଗୁଣ ବଢ଼ିଛି। ଚଳିତବର୍ଷ ଜୁନ୍‌ ସୁଦ୍ଧା ବ୍ରିଟେନରେ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଇ ୨୨ ହଜାରରେ ପହଞ୍ଚତ୍ଛି। ଗତବର୍ଷ ତୁଳନାରେ ଏହା ୪୨% ଅଧିକ। ଗତ ୩ ବର୍ଷର ହିସାବ ଦେଖିଲେ ଏହା ୧୦୦ ପ୍ରତିଶତ ବଢ଼ିଛି। ସବୁଠୁ ବଡ଼ କଥା ହେଲା ବ୍ରିଟିଶ ଭିଜା ପାଇଁ ଆବେଦନ କରୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୯୬ ପ୍ରତିଶତଙ୍କୁ ସଫଳତା ମିଳୁଛି।

Share