ଭାରତୀୟ ଜଳବାୟୁ କଂଗ୍ରେସ ଉଦ୍‌ଘାଟିତ: ଜଳବାୟୁ ପରିବର୍ତ୍ତନରେ ସର୍ବାଧିକ ପ୍ରଭାବିତ ହେବ କୃଷି

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଦ୍ୱାରା କୃଷି ଉତ୍ପାଦନ ବହୁଳଭାବେ ପ୍ରଭାବିତ ହେବ। ଏହାଫଳରେ ଆଗାମୀ ଦିନରେ ବିଶ୍ୱରେ ଖାଦ୍ୟାଭାବ ସମସ୍ୟା ଗୁରୁତର ରୂପ ନେବ। ସେହିଭଳି ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁ ଲକ୍ଷ ଲକ୍ଷ ଲୋକ ବାସହରା ହେବେ। ଏ ସବୁକୁ ରୋକିବା ସହ ଜଳବାୟୁକୁ ଧ୍ୱଂସମୁଖରୁ ଉଦ୍ଧାର କରିବା ଲାଗି ବୈଜ୍ଞାନିକ, ଛାତ୍ର ସମାଜ ଓ ସାମାଜିକ ସଂଗଠନ ମିଳିତ ଭାବେ ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି ଏଠାରେ ମତପ୍ରକାଶ ପାଇଛି। ଶୁକ୍ରବାର ଓୟୁଏଟି ପରିସରରେ ଭାରତୀୟ ଜଳବାୟୁ କଂଗ୍ରେସର ଏକାଦଶ ବାର୍ଷିକ ଅଧିବେଶନକୁ ଉଦ୍‌ଘାଟନ କରି ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ସର୍ବଭାରତୀୟ ମହାନିର୍ଦ୍ଦେଶକ ତଥା କୃଷି ଗବେଷଣା ଓ ଶିକ୍ଷା ସଚିବ ଡ. ତ୍ରିଲୋଚନ ମହାପାତ୍ର ଏହା କହିଛନ୍ତି। ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ଓ ବିଶ୍ୱ ଶାନ୍ତି ଲାଗି ଭାରତୀୟ ଜଳବାୟୁ କଂଗ୍ରେସର ସଦସ୍ୟମାନେ ଉଦ୍ୟମ କରିବାକୁ ସେ କହିଛନ୍ତି।
ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ତଥା ସତ୍ୟସାଇ ଚାରିଟେବୁଲ୍‌ ଟ୍ରଷ୍ଟର ସଭାପତି ପ୍ରଫେସର ସଞ୍ଜୟ କୁମାର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ହିମାଂଶୁ ପାଠକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ସତ୍ତ୍ୱେ ଧାନଚାଷୀମାନେ କିଭଳି ଲାଭବାନ୍‌ ଓ ଆତ୍ମନିର୍ଭରଶୀଳ ହେବେ ସେ ସମ୍ପର୍କରେ ସୂଚନା ଦେଇଥିଲେ। ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ପ୍ରାକ୍ତନ ମୁଖ୍ୟ ବୈଜ୍ଞାନିକ ଡ. ସଂଗ୍ରାମ କେଶରୀ ନାୟକ ୩ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଜଳବାୟୁ କଂଗ୍ରେସର ଆଭିମୁଖ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଉଦ୍‌ଘାଟନୀ ଉତ୍ସବର ପ୍ରାରମ୍ଭରେ ଓଡ଼ିଶା ଜଳବିଭାଜିକା ମିଶନର ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ଆଇଚ୍‌ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଶେଷରେ ସେମିନାରର ସମ୍ପାଦକ ପ୍ରଫେସର ଡ. ବାସୁଦେବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମିଳନୀରେ ଓୟୁଏଟି କୃଷି ଗବେଷଣା ଡିନ୍‌ ତଥା ଭାରପ୍ରାପ୍ତ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ସମେତ ଓୟୁଏଟି ଅଧୀନ ସମସ୍ତ କଲେଜ ଡିନ୍‌, ବିଭାଗୀୟ ମୁଖ୍ୟ ପ୍ରଫେସର ଓ ବୈଜ୍ଞାନିକମାନେ ଯୋଗଦେଇଥିଲେ।

Share