ଭାରତୀୟ ଦଳକୁ ବଡ଼ ଝଟ୍‌କା

ଭାରତୀୟ ଦଳକୁ ବଡ଼ ଝଟକା
ବର୍ମିଂହାମ,୧ା୭(ପିଟି)- ଚଳିତ ବିଶ୍ୱକପ୍‌ରେ ପ୍ରଥମ ପରାଜୟବରଣ କରିଥିବା ଭାରତୀୟ ଦଳକୁ ସୋମବାର ବଡ଼ ଝଟକା ଲାଗିଛି। ଆହତ ସମସ୍ୟା ଯୋଗୁ ବିଜୟ ଶଙ୍କର ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ଗୋଡ଼ ଆଙ୍ଗୁଠିରେ ଲାଗିଥିବା ଆହତ ସମସ୍ୟା ଯୋଗୁ ତାଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ବାଲଙ୍କୁ ଡାକରା ଦିଆଯାଇପାରେ। କର୍ନାଟକ ବ୍ୟାଟ୍ସମ୍ୟାନ ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ପଦାର୍ପଣ କରିଥିଲେ। ବ୍ୟାଟିଂ ପ୍ରାକ୍ଟିସ୍‌ ବେଳେ ବିଜୟଙ୍କ ଗୋଡ଼ ଆଙ୍ଗୁଠିରେ ପୁଣି ଥରେ ଯଶପ୍ରୀତ୍‌ ବୁମ୍‌ରାଙ୍କ ବଲ ବାଜିଛି। ତାଙ୍କ ସମସ୍ୟା ବୃଦ୍ଧି ପାଇଛି। ସେ ଆଉ ଚଳିତ ବିଶ୍ୱକପ୍‌ରେ ଭାଗ ନେଇପାରିବେ ନାହିଁ। ଟିମ୍‌ ମ୍ୟାନେଜମେଣ୍ଟ ବଦଳ ଖେଳାଳି ଭାବେ ସମ୍ଭବତଃ ମୟଙ୍କଙ୍କୁ ଦଳରେ ସାମିଲ କରିପାରେ। ଯଦି ରିଷଭ ପନ୍ତ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଲେ ମୟଙ୍କ ଜଣେ ଓପନର ଭାବେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି। ଏଥିଯୋଗୁ ଲୋକେଶ ରାହୁଲଙ୍କୁ ପୁନଃ ୪ର୍ଥ କ୍ରମରେ ବ୍ୟାଟିଂ କରିବାକୁ ପଡ଼ିବ ବୋଲି ବିସିସିଆଇର ଜଣେ ସିନିୟର କର୍ମକର୍ତ୍ତା କହିଛନ୍ତି। ଆଇସିସି ଟୁର୍ନାମେଣ୍ଟ ଟେକ୍‌ନିକାଲ କମିଟି ଅନୁମତି ମିଳିବା ପରେ ମାୟଙ୍କ ବର୍ମିଂହାମ ଗସ୍ତ କରିବେ। ସେଠାରୁ ସେ ଦଳର ଅନ୍ୟ ଖେଳାଳିଙ୍କ ସହ ଲିଡ୍ସ ଯାତ୍ରା କରିବେ। ଭାରତୀୟ ଦଳ ମଙ୍ଗଳବାର ତା’ର ପରବର୍ତ୍ତୀ ଲିଗ୍‌ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ।

Share