ଭାରତୀୟ ଦଳର ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନ ଉଠାଇଲେ ୟୁନିସ

ଲଣ୍ଡନ,୧।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ ୩୧ ରନ୍‌ରେ ଇଂଲଣ୍ଡଠାରୁ ପରାଜୟବରଣ କରିଛି। ଏଥିନେଇ ପୂର୍ବତନ ପାକିସ୍ତାନ ଅଧିନାୟକ ଓ୍ବାକର ୟୁନିସ ଟିମ୍‌ ଇଣ୍ଡିଆର ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନ ଉଠାଇଛନ୍ତି। ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଭାରତୀୟ ଦଳ ଉପରେ ନିର୍ଭର କରୁଥିଲା। ଯଦି ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ର ଫଳାଫଳ ଭାରତୀୟ ଦଳ ସପକ୍ଷରେ ରହିଥାନ୍ତା, ତେବେ ସର୍ଫରାଜ ଅହମ୍ମଦଙ୍କ ଦଳ ନକ୍‌ଆଉଟ୍‌ ପର୍ଯ୍ୟାୟରେ ସ୍ଥାନ ପାଇବା ସମ୍ଭାବନା ବୃଦ୍ଧି ପାଇଥାନ୍ତା। ୩୩୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ସମ୍ପୂର୍ଣ୍ଣ ୫୦ ଓଭର ଖେଳି ୫ ଉଇକେଟ ହରାଇ ୩୦୬ ରନ୍‌ କରିପାରିଥିଲା। ଭାଷ୍ୟକାର ତଥା ପୂର୍ବତନ କୋଚ୍‌ ୟୁନିସ ଟୁଇଟ୍‌ କରିଛନ୍ତି, ତୁମେ କିଏ ଗୁରୁତ୍ୱପୂର୍ଣ୍ଣ ନୁହେଁ। କାର୍ଯ୍ୟ ତୁମକୁ ପରିଚୟ ଦିଏ। ପାକିସ୍ତାନ ଦଳ ସେମିଫାଇନାଲରେ ପ୍ରବେଶ କରିବ କି ନାହିଁ, ତାହା ମୋ ପାଇଁ ଚିନ୍ତାର କାରଣ ନୁହେଁ। କିନ୍ତୁ ମୁଁ ନିଶ୍ଚିତ ଯେ, କେତେଜଣ ଚାମ୍ପିୟନ ଖେଳାଳିଙ୍କ ଖେଳୁଆଡ଼ ମନୋଭାବ ପରୀକ୍ଷା ହୋଇଥିଲା। ଆଉ ସେମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମ୍ୟାଚ୍‌ ପୂର୍ବରୁ ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦାକରିବା ଲାଗି ଭାରତୀୟ ଦଳ ଜାଣିଶୁଣି ଇଂଲଣ୍ଡଠାରୁ ପରାଜିତ ହେବ ବୋଲି ପ୍ରାକ୍ତନ ପାକିସ୍ତାନ କ୍ରିକେଟରେ ବାସିତ ଅଲି ଓ ସିକନ୍ଦର ବଖତ ଅଭିଯୋଗ କରିଥିଲେ।

Share