Categories: ଖେଳ

ଭାରତୀୟ ଦଳର ବ୍ୟାଟିଂ କୋଚ୍‌ ଦୌଡ଼ରେ ପ୍ରବୀଣ ଆମ୍ରେ

ମୁମ୍ବାଇ, ୩୦।୭ (ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବର୍ତ୍ତମାନ ଆଇପିଏଲ୍‌ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପ୍ରତିଭା ସମ୍ପନ୍ନ ଖେଳାଳି ଖୋଜିବା ଦାୟିତ୍ୱରେ ଥିବା ପ୍ରବୀଣ ଆମ୍ରେ ଭାରତୀୟ କ୍ରିକେଟ୍‌ ଦଳର ବ୍ୟାଟିଂ କୋଚ୍‌ ପାଇଁ ମନ ବଳାଇଛନ୍ତି। ୧୯୯୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ପଦାର୍ପଣ ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳି ପ୍ରଶଂସକଙ୍କ ନିକଟରେ ସର୍ବଦା ସ୍ମରଣୀୟ ରହିଥିବା ଆମ୍ରେ ବ୍ୟାଟିଂ କୋଚ୍‌ ପଦ ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ୫୦ ବର୍ଷୀୟ ଆମ୍ରେ ଜାତୀୟ ଦଳ ପକ୍ଷରୁ ୧୧ ଟେଷ୍ଟ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରି ଗୋଟିଏ ଶତକ ଓ ୩ ଅର୍ଦ୍ଧଶତକ ସହ ୪୨୫ ରନ୍‌ କରିଥିଲେ। ସେହିଭଳି ୩୭ ଦିନିକିଆ ମ୍ୟାଚ୍‌ରୁ ତାଙ୍କ ନାମରେ ୫୧୩ ରନ ରହିଛି। ଜଣାଶୁଣା କ୍ରିକେଟ୍‌ କୋଚ୍‌ ରମାକାନ୍ତ ଆର୍ଚେକରଙ୍କ ଛାତ୍ର ରହିଥିବା ଆମ୍ରେ ମଧ୍ୟ ମୁମ୍ବାଇ ରଣ୍‌ଜୀ ଦଳର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇ ସାରିଛନ୍ତି। ମୁମ୍ବାଇର ଏହି ପୂର୍ବତନ କ୍ରିକେଟର୍‌ ବର୍ତ୍ତମାନ ଆମେରିକା କ୍ରିକେଟ୍‌ ଦଳର ବ୍ୟାଟିଂ ପରାମର୍ଶଦାତା ରହିଛନ୍ତି।
ଉଲ୍ଲେଖଯୋଗ୍ୟ, ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିକଟରେ ମୁଖ୍ୟ କୋଚ୍‌ ସମେତ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚ୍‌ ପାଇଁ ଦରଖାସ୍ତ ଆହ୍ବାନ କରିଥିଲା। ଆବେଦନ କରିବାର ଅନ୍ତିମ ତାରିଖ ଜୁଲାଇ ୩୦ ରହିଛି। ବର୍ତ୍ତମାନ ବ୍ୟାଟିଂ କୋଚ୍‌ ଦାୟିତ୍ୱରେ ରହିଥିବା ସଞ୍ଜୟ ବାଙ୍ଗରଙ୍କ କାର୍ଯ୍ୟକାଳ ବିଶ୍ୱକପ୍‌ ପରେ ସମାପ୍ତ ହୋଇଥିଲେ ମଧ୍ୟ ଆଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତକୁ ନଜରରେ ରଖାଯାଇ ଏହାକୁ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।