Categories: ଜାତୀୟ

ଭାରତୀୟ ନମସ୍କାର ସଂସ୍କୃତି ଏବେ ଅନ୍ତର୍ଜାତୀୟ ସ୍ତରରେ: ବିଶ୍ୱନେତାଙ୍କୁ ବି ଆସିଲା ପସନ୍ଦ

ନୂଆଦିଲ୍ଲୀ,୧୫।୩ : ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ କୁହାଯାଉଥିବା ନମସ୍କାର ଏବେ ବିଶ୍ୱସ୍ତରରେ ପହଞ୍ଚିଛି। ନମସ୍କାର ପୃଥିବୀସାରା ବର୍ତ୍ତମାନ ଅଭିବାଦନର ଏକ ମାଧ୍ୟମ ପାଲଟିଛି। ଏହା ବିଶ୍ୱନେତାଙ୍କୁ ବେଶ୍‌ ପସନ୍ଦ ଆସିଛି। ସେମାନଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ଜର୍ମାନୀ ଚାନ୍ସଲର ଏଞ୍ଜେଲା ମର୍କେଲ୍‌, ବ୍ରିଟେନ୍‌ର ପ୍ରିନ୍ସ୍‌ ଚାଲର୍‌ସ, ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ୍‌ ମାର୍କନ୍‌, ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତ୍ୟାନେହୁ ପ୍ରମୁଖ ସାମିଲ ଅଛନ୍ତି। ଟ୍ରମ୍ପ୍‌ ଦୁଇଦିନ ତଳେ ଅୟାରଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ବରାଡ଼କରଙ୍କୁ ଭେଟିଥିଲେ। ଏହି ଅବସରରେ ଦୁଇ ନେତା ପରସ୍ପରକୁ ଭାରତୀୟ ଶୈଳୀରେ ନମସ୍କାର କରିଥିଲେ। ସେହିପରି ମାର୍ଚ୍ଚ ୧୧ରେ ଫିନ୍ସ୍‌ ଚାଲର୍‌ସ ଲଣ୍ଡନ ପେଲୋଡିୟମ୍‌ରେ ଅନୁଷ୍ଠିତ ହୋଇଥିବା ପ୍ରିନ୍ସ୍‌ ଟ୍ରଷ୍ଟ୍‌ ଆଓ୍ବାର୍ଡରେ ଉପସ୍ଥିତ ଅତିଥିଙ୍କୁ ନମସ୍କାର କରି ଅଭିବାଦନ ଜଣାଇଥିଲେ। ଜର୍ମାନ ଚାନ୍ସଲର ଏଞ୍ଜେଲା ମର୍କେଲ୍‌ ଏବଂ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ପରସ୍ପରକୁ ସାକ୍ଷାତ୍‌ କରି ନମସ୍କାର କରିଛନ୍ତି। ସେହିପରି ଗତ ବୁଧବାର ଫ୍ରାନ୍ସ୍‌ ରାଷ୍ଟ୍ରପତି ଇମେନୁଏଲ୍‌ ମାର୍କନ ସ୍ପେନ୍‌ର ରାଜା କିଙ୍ଗ୍‌ ଫିଲିପ୍‌ଙ୍କୁ ଭେଟିବା ଅବସରରେ ନମସ୍କାର କରି ସ୍ବାଗତ କରିଛନ୍ତି। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତ୍ୟାନେହୁ ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ଲୋକଙ୍କୁ ହାତ ନ ମିଳାଇ ଅବା ଆଲିଙ୍ଗନ ନ କରି ନମସ୍କାର କରିବାକୁ ପରାମର୍ଶ ଦେଇଛନ୍ତି। ଏହା ପୂର୍ବରୁ ସେ କରୋନାଠାରୁ ଦୂରେଇ ରହିବା ପାଇଁ ଭାରତୀୟ ସଂସ୍କୃତିକୁ ଆପଣେଇବା ଲାଗି ଲୋକଙ୍କୁ ଆହ୍ବାନ ଦେଇଥିଲେ।

Share